ମମତାଙ୍କ ଘନିଷ୍ଠ ସହଯୋଗୀ ଟିଏମସି ନେତା ଛତ୍ରଧର ମହତୋଙ୍କୁ ଗିରଫ କଲା ଏନଆଇଏ

୨୦୦୯ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ବନ୍ଧକ ମାମଲା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଛତ୍ରଧର ମହତୋଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ୍ କରିଛି ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି (ଏନଆଇଏ)। ୨୦୦୯ ମସିହାରେ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ବନ୍ଧକ ରଖିବା ମାମଲାରେ ଟିଏମସି ନେତା ଛତ୍ରଧର ମହତୋଙ୍କୁ ଗିରଫ କରାଯାଇଛି । ନିକଟରେ ଏକ ହତ୍ୟା ମାମଲାରେ କାଲକାଟା ହାଇକୋର୍ଟ ମହାତୋଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିବା ବେଳେ ଶନିବାର ଏହି ୧୨ ବର୍ଷ ପୁରୁଣା ମାମଲାରେ ଏନଆଇଏ ତାଙ୍କୁ ଗିରଫ କରିଛି।

ରାଜଧାନୀ ଏକ୍ସପ୍ରେସକୁ ବନ୍ଧକ ରଖିବା ମାମଲାରେ  ତାଙ୍କୁ ୨୦୦୯ ମସିହାରେ ଗିରଫ୍ କରାଯାଇଥିଲା । ଏଥିରେ ତାଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ୨୦୧୫ ମସିହାରେ ଏହି ମାମଲାର ଶୁଣାଣି କରି ମେଦିନାପୁର ଜିଲ୍ଲା ଅଦାଲତ ମହତୋଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ମାଓ ସଂଗଠନର ଜଣେ ଟାଣୁଆ ନେତା  ଥିବା  ଛତ୍ରଧର ମହତୋ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ୨୦୨୦ ମସିହା ପର୍ଯ୍ୟନ୍ତ ଜେଲରେ ରହିଥିଲେ। ସେ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ । ଜେଲରୁ ଫେରିବା ପରେ ସେ ତୃଣମୂଳ କଂଗ୍ରେସରେ ଯୋଗଦେଇ ମମତାଙ୍କ ଅତି ନିକଟତର ହୋଇଥିଲେ । ସେ ତୃଣମୂଳ କଂଗ୍ରେସର ରାଜ୍ୟ କୋର କମିଟି ସଦସ୍ୟ ବି ଥିଲେ ।

New Indian Express

ଛତ୍ରଧର ମହାନ୍ତଙ୍କ ପତ୍ନୀ ନିୟତି ମହାତୋ ଗଣମାଧ୍ୟମକୁ କହିଛନ୍ତି ଯେ ଗତରାତିରେ ୫୦ରୁ ୬୦ ଜଣ ଏନଆଇଏ ଅଧିକାରୀ ତାଙ୍କ ଘରେ ପହଞ୍ଚି ଛତ୍ରଧରଙ୍କୁ ଠେଲି ଠେଲି ବାହାରକୁ ନେଇ ଆସିଥିଲେ। ସେମାନେ ପୁଲିସ ଷ୍ଟେସନରୁ ଆସିଛନ୍ତି ବୋଲି କହିବା ସହ ସାଙ୍ଗରେ ନେଇଯାଇଥିଲେ। ଏଥିସହ ସେମାନଙ୍କ ଫୋନ୍ ଛଡ଼ାଇ ନେଇଥିଲେ। ଏବେ ଛତ୍ରଧର କେଉଁଠି ଅଛନ୍ତି ସେ ସଂପର୍କରେ କୌଣସି ସୂଚନା ତାଙ୍କ ପାଖରେ ନାହିଁ।

କୁହାଯାଉଛି କି ମେଦିନାପୁର ଅଞ୍ଚଳରେ ତାଙ୍କର ବଡ ଦବଦବା ଥିଲା । ସେ ଆଦିବାସୀ ମାନଙ୍କ ଭିତରେ ବେଶ୍ ଲୋକପ୍ରିୟ ଥିଲେ । ସେ ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ମେଦିନାପୁରରେ ମମତା କାୟାବିସ୍ତାର କରିଥିଲେ ।

ସମ୍ବନ୍ଧିତ ଖବର