ପୁଣି ଜଣେ ତୃଣମୂଳ ବିଧାୟକଙ୍କ ପଦରୁ ଇସ୍ତଫା, ବଢ଼ୁଛି ମମତାଙ୍କ ଅଡ଼ୁଆ

କୋଲକାତା: ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି  । ଗତକାଲି ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ତୃଣମୂଳ କଂଗ୍ରେସର ବିଧାୟକ ତଥା ଆସନସୋଲ ନଗର ନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ସେ ୧୯ ତାରିଖ ଦିନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କେନ୍ଦ୍ରରୁ ରାଜ୍ୟକୁ ଆସୁଥିବା ଅନୁଦାନର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟସରକାରଙ୍କ ରାଜନୀତି ପାଇଁ ଆସନସୋଲ ନଗର ନିଗମକୁ କେନ୍ଦ୍ରରୁ ମିଳୁଥିବା ହଜାର ହଜାର କୋଟି ଟଙ୍କାର ଅନୁଦାନ କାର୍ଯ୍ୟରେ ଲାଗୁ ନାହିଁ ।

ଏ ନେଇ ରବିବାର ଦିନ ଜିତେନ୍ଦ୍ର ତିୱାରୀ ସହରୀ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।  ମମତା ବାନାର୍ଜୀଙ୍କ ରାଜନୀତି ଯୋଗୁଁ ଆସନସୋଲ ନଗର ନିଗମକୁ କେନ୍ଦ୍ରସରକାର ଦେଇଥିବା ୨ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରୁ ନାହିଁ । ଏହି ଅନୁଦାନ ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ । ସେ ଆହୁରି ଆରୋପ ଲଗାଇଛନ୍ତି କି ଏ ନେଇ ମୁଁ ୫ ଥର ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ କୌଣସିର ଉତ୍ତର ମିଳିନାହିଁ ।

ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଏହା ପୂର୍ବରୁ ଜଣମ ପରେ ଜଣେ ଟିଏମସି ମନ୍ତ୍ରୀ ଓ ବିଧାୟକ ଦଳରୁ ଇସ୍ତଫା ଦେଉଥିବାରୁ ସେମାନେ ୧୯ ତାରିଖରେ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର