ତୃଣମୂଳ କଂଗ୍ରେସ ବିଧାୟକ ହତ୍ୟା ମାମଲା: ଏଫ୍‌ଆଇଆର୍‌ରେ ବିଜେପି ନେତା ମୁକୁଳ ରାୟଙ୍କ ନାମ

କୋଲକାତା: ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କ ହତ୍ୟା ଘଟନାରେ ପଶ୍ଚିମବଙ୍ଗ ପୁଲିସ ଏଫ୍‌ଆଇଆର୍‌ରେ ଭାରତୀୟ ଜନତା ପାର୍ଟି ନେତା ମୁକୁଳ ରାୟଙ୍କ ନାମ ଉଲ୍ଲେଖ କରିଛି। ମୁକୁଳ ରାୟ ତୃଣମୂଳ କଂଗ୍ରେସର ସାଂସଦ ଓ ମନମୋହନ ସିଂହଙ୍କ ସରକାରରେ ରେଳବାଇ ମନ୍ତ୍ରୀ ଥିଲେ। ମମତା ବାନାର୍ଜୀଙ୍କ ସହ ତାଙ୍କର ମନୋମାଳିନ୍ୟ ହେବାରୁ ଗତ ବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ।

ସରସ୍ୱତୀ ପୂଜା ଅବ୍ୟବହିତ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମୟରେ ରବିବାର ଦିନ ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ୱାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ମମତା ବାନାର୍ଜୀ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଏହି ହତ୍ୟାକାଣ୍ଡ ନିମନ୍ତେ ବିଜେପିକୁ ଦାୟୀ କରିଥିଲା। କିନ୍ତୁ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାର କାରଣ ସ୍ୱୟଂ ମମତା ବାନାର୍ଜୀ ବୋଲି ବିଜେପି ଦାୟୀ କରିଥିଲା।

ଏଫ୍‌ଆଇଆର୍‌ରେ ଉଲ୍ଲେଖ ହୋଇଥିବା ନାମ ମଧ୍ୟରୁ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର