ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ହତ୍ୟା

କୋଲକାତା : ପଶ୍ଚିମବଂଗର କ୍ରିଷ୍ଣାଗଂଜ ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ଆଜି ଅଜଣା ଆତତାୟୀମନେ ଗୁଳି କରି ହତ୍ୟା କରିଛନ୍ତି। ଶନିବାର ସନ୍ଧ୍ୟାରେ ନଦିୟା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏହାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ତୃଣମୂଳ କଂଗ୍ରେସର ବିଧାୟକ ବିଶ୍ବାସ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ସରସ୍ବତୀ ପୂଜା ପେଣ୍ଡାଲ ଉଦ୍‌ଘାଟନ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଶକ୍ତିନଗର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାତୁଆ ସଂପ୍ରଦାୟର ଟାଣୁଆ ନେତା ବିଶ୍ବାସଙ୍କର ଦଳରେ ମଧ୍ୟ ଯଥେଷ୍ଟ ପ୍ରାଧାନ୍ୟ ରହିଥିଲା। ଜାତିଆଣ ରାଜନୀତିକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ କ୍ରିଷ୍ଣାଗଂଜ ଅଂଚଳରେ ଏବେ ବିଜେପି ନିଜର କାୟା ବିସ୍ତାର କରୁଥିବା ବେଳେ ବିଶ୍ବାସ ତାଙ୍କର ସାଂଗଠନିକ ଶକ୍ତି ବଳରେ ଏହାର ମୁକାବିଲା କରୁଥିଲେ।

ଟିଏମ୍‌ସି ଜିଲ୍ଲା ସଭାପତି ଗୌରୀଶଙ୍କର ଦତ୍ତ କହିଛନ୍ତି, ବିଧାୟକଙ୍କ ହତ୍ୟା ପାଇଁ ବିଜେପି ଏବଂ ମୁକୁଲ ରାୟଙ୍କ ସମର୍ଥକମାନେ ଦାୟୀ। ତେବେ ଏହି ଅଭିଯୋଗକୁ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଖଣ୍ଡନ କରିଛନ୍ତି ଏବଂ ଏହା ଟିଏମ୍‌ସିରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପରିଣତି ବୋଲି କହିଛନ୍ତି। ବିଧାୟକଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଘୋଷ ଦାବି କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ଗୁରୁତ୍ବାରୋପ କରିଛନ୍ତି ।

ସମ୍ବନ୍ଧିତ ଖବର