ବିଏସଏଫ ଯବାନମାନେ ମହିଳାଙ୍କୁ ଅସଦାଚରଣ କରୁଛନ୍ତି.. ତୃଣମୂଳ ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ :  ଭାରତୀୟ ସୀମାର ସୁରକ୍ଷା କରୁଥିବା ସୀମା ସୁରକ୍ଷା ବଳ (ବିଏସଏଫ) ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି ତୃଣମୂଳ କଂଗ୍ରେସ ବିଧାୟକ ଉଦୟନ ଗୁହା । ବିଏସଏଫ ଯବାନମାନେ ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି ବୋଲି ଆଜି ସେ ପଶ୍ଚିମବଙ୍ଗ ବିଧାନସଭାରେ କହିଛନ୍ତି । ଏହାକୁ ନେଇ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

ବିଏସଏଫର କାର୍ଯ୍ୟସୀମାକୁ ଅନ୍ତର୍ଜାତୀୟ ସୀମାଠାରୁ ୫୦ କିଲୋମିଟର ଭିତରକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଂକଳ୍ପ ଗୃହୀତ ହୋଇଛି । ପଞ୍ଜାବ ପରେ ୨ୟ ରାଜ୍ୟ ଭାବେ ପଶ୍ଚିମବଙ୍ଗ ଏହି ପଦକ୍ଷେପ ନେଇଛି ।

ଏହି ସଂକଳ୍ପ ପ୍ରସ୍ତାବ ସଂପର୍କରେ ଆଜି ବିଧାନସଭାରେ ଆଲୋଚନା ଚାଲିଥିବାବେଳେ ଉଦୟନ କହିଥିଲେ ଯେ ବିଏସଏଫ ଯବାନମାନେ ସୀମା ଅଞ୍ଚଳରେ ରହୁଥିବା ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି । ଯଦି ଗୋଟିଏ ପିଲା ତା’ ମା’କୁ ଅସଦାଚରଣ କରାଯାଉଥିବା ଦେଖେ ତେବେ ସେ ଭବିଷ୍ୟତରେ କେବେ ବି ରାଷ୍ଟ୍ରଭକ୍ତ ହୋଇପାରିବ ନାହିଁ । ଯେତେ ଭାରତ ମାତାକି ଜୟ କହିଲେ ବି ସେ ଦେଶକୁ ଭଲ ପାଇବ ନାହିଁ ।

ତାଙ୍କର ଏହି ବୟାନକୁ ବିଧାନସଭା ରେକର୍ଡରୁ ବାଦ ଦେବାକୁ ବିରୋଧୀ ଦଳମାନେ ଦାବି କରିଥିଲେ ବି ବାଚସ୍ପତି ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

 

ସମ୍ବନ୍ଧିତ ଖବର