ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଚୋରି ଦୁର୍ନୀତି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ସମ୍ବନ୍ଧରେ ପଚରାଉଚୁରା ହେବାକୁ ଥିବାରୁ ଆଜି ‘ତୃଣମୂଳ କଂଗ୍ରେସ’ର ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହୋଇଛନ୍ତି।
ଠିକ୍ ପୂର୍ବାହ୍ନ ୧୧ଟା ବାଜିବାକୁ ସ୍ବଳ୍ପ ସମୟ ଥିବା ବେଳେ ୩୩ ବର୍ଷିୟ ବାନାର୍ଜୀ କେନ୍ଦ୍ରୀୟ ଦିଲ୍ଲୀରେ ଅବସ୍ଥିତ ଜାମନଗର ହାଉସ୍ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହୋଇଥିଲେ।
ସେ କହିଛନ୍ତି, ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଏବଂ ‘ପ୍ରବର୍ତ୍ତନ ନିର୍ଦେଶାଳୟ’କୁ ସହଯୋଗ କରିବି।
/sambad/media/post_attachments/wp-content/uploads/2021/09/ab.jpg)
‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍’ରେ ଥିବା ବ୍ୟବସ୍ଥା ଅନୁଯାୟୀ ତଦନ୍ତକାରୀ ଅଧିକାରୀ ବାନାର୍ଜୀଙ୍କ ବୟାନ ରେକର୍ଡ କରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଲୋକସଭାରେ ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗର ଡାଇମଣ୍ଡ୍ ହାର୍ବର୍ ଆସନର ପ୍ରତିନିଧିତ୍ବ କରିବା ସହ ‘ତୃଣମୂଳ କଂଗ୍ରେସ’ର ସାଧାରଣ ସଚିବ ପଦ ତୁଲାଉଛନ୍ତି।
ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ ବହୁ କୋଟି ଟଙ୍କାର କୋଇଲା ଚୋରି ମାମଲାରେ ୨୦୨୦ ନଭେମ୍ବରରେ ‘ସିବିଆଇ’ ଫାଇଲ୍ କରିଥିବା ‘ଏଫ୍ଆଇଆର୍’ ପଢ଼ିବା ପରେ ‘ପିଏମ୍ଏଲ୍ଏ’ ବ୍ୟବସ୍ଥା ଅନୁସାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଅପରାଧିକ ମାମଲା ରୁଜୁ କରିଛି।
ରବିବାର ଦିନ କୋଲ୍କାତା ବିମାନ ବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ବାନାର୍ଜୀ କହିଥିଲେ ଯେ, କୌଣସି ବେଆଇନ ଆର୍ଥିକ ନେଣଦେଣରେ ତାଙ୍କର ସମ୍ପୃକ୍ତି ଥିବା କଥା କୌଣସି କେନ୍ଦ୍ରୀୟ ଏଜେନ୍ସି ପ୍ରମାଣ କରି ପାରିଲେ ସେ ଫାଶୀ ଦେଇ ମରିବେ।