ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସହଯୋଗୀ ତୃଣମୂଳ କଂଗ୍ରେସ ବିଜେପି-ବିରୋଧୀ ସଂଗ୍ରାମରେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବାକୁ ଦାବି ଉଠାଇଛି। ଟିଏମସି ମୁଖପାତ୍ର କୁନାଲ ଘୋଷ ଏକ୍ସ (ଟ୍ବିଟର)ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ କଂଗ୍ରେସ ଦଳକୁ ଦାୟୀ କରାଯିବ। ନିର୍ବାଚନ ଫଳାଫଳକୁ ସେ ବିଜେପିର ବିଜୟ ନୁହେଁ, କଂଗ୍ରେସର ପରାଜୟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜେଡିୟୁ ନେତାମାନେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟକୁ ସଫଳ କରବା ପାଇଁ ଏହାର ନେତୃତ୍ବ ନୀତୀଶ କୁମାର ନେବେ। ନୀତୀଶଙ୍କ ନେତୃତ୍ବ ହିଁ ମେଣ୍ଟକୁ ସଠିକ୍‌ ଦିଗରେ ନେଇପାରିବ ବୋଲି ଦଳ କହିଛି।

Advertisment

ଏହି ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟର ସମ୍ଭାବନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଟିଏମ୍‌ସି କହିଥିଲେ ମଧ୍ୟ କଂଗ୍ରେସକୁ ସିଧାସଳଖ ଦାୟୀ କରିଥିବାରୁ ଆଗକୁ ଇଣ୍ଡିଆ ମେଣ୍ଟରେ ତିକ୍ତତା ବଢ଼ିବା ଆଶଙ୍କା ରହିଛି। ଟିଏମ୍‌ସି ମୁଖପାତ୍ର ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତାରେ ସେ କହିଛନ୍ତି, ଟିଏମସି ହେଉଛି ସେହି ଦଳ ଯିଏ ଦେଶରେ ବିଜେପିକୁ ପରାସ୍ତ କରିବା ପାଇଁ ଲଢେଇରେ ନେତୃତ୍ୱ ପ୍ରଦାନ କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ବାଚନ ଜିତିବାକୁ ହେଲେ ଦଳଗୁଡ଼ିକୁ ମମତା ବାନାର୍ଜୀଙ୍କ ଜନମଙ୍ଗଳବାଦକୁ ଗ୍ରହଣ କରିବାକୁ ପଡ଼ିବ। ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପୂର୍ବ ଭଳି ସଂଖ୍ୟାଲଘୁଙ୍କ ଅଧିକାରକୁ ସମର୍ଥନ କରିବା ବନ୍ଦ କରିଥିବାରୁ ଦଳ ହାରିଯାଇଛି।