କୋଲକାତା: ଇଣ୍ଡିଆ ମେଣ୍ଟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ବିବାଦ ଲାଗି ରହିଥିବା ବେଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଏବେ ପଶ୍ଚିମବଙ୍ଗରେ ଜାରି ରହିଛି | ତେବେ ବର୍ତ୍ତମାନ ଟିଏମସି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ବୟାନ ଯୁଦ୍ଧ ତୀବ୍ର ହୋଇଛି। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ଟିଏମସି ସାଂସଦ ଡେରେକ ଓ’ବ୍ରାୟନଙ୍କୁ 'ବିଦେଶୀ' ବୋଲି କହିବା ପରେ ରାଜନୀତି ଆହୁରି ଜୋର ଧରିଛି | ବିଦେଶୀ ବୟାନକୁ ନେଇ ଆଜି ଟିଏମସି ନେତ୍ରୀ ସୁସ୍ମିତା ଦେବ ଦୃଢ଼ ସମାଲୋଚନା କରିଛନ୍ତି।

Advertisment

ସୁସ୍ମିତା କହିଛନ୍ତି ଯେ "ଅଧୀର ରଂଜନ ଚୌଧୁରୀ ବର୍ଷ ବର୍ଷ ଧରି କଂଗ୍ରେସ (ରାଜ୍ୟ) ସଭାପତି ରହିଆସିଛନ୍ତି। ପଶ୍ଚିମବଙ୍ଗରେ ତାଙ୍କର ରେକର୍ଡ କ’ଣ ରହିଛି? ଯଦି ସେ ଏହା ବିଷୟରେ ଚିନ୍ତା କରିଥାନ୍ତେ, ତେବେ ସେ ସିଟ୍ ଭାଗବଣ୍ଟା କଥାକୁ ନେଇ ଦ୍ୱିଧା କରିନଥାନ୍ତେ।" ସୁସ୍ମିତା କଂଗ୍ରେସ ନେତାଙ୍କ ବିବୃତ୍ତିକୁ ନିନ୍ଦା କରି ଏହା ମଧ୍ୟ କହିଛନ୍ତି ଯେ ସେ ଯେତେ କମ୍ କଥା କହିବେ, ୨୦୨୪ ଲୋକସଭା ନିର୍ବାଚନରେ ସେତେ ଅଧିକ ଲାଭ ପାଇବେ |

ବାସ୍ତବରେ ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟର ବିଫଳତା ସମ୍ପର୍କରେ ଟିଏମସି ସାଂସଦ ଡେରେକ ଓ'ବ୍ରାୟନ୍ ଗଣମାଧ୍ୟମରେ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ବିଫଳ ହେବାର ୩ଟି କାରଣ ହେଉଛି - ଅଧୀର ରଂଜନ ଚୌଧୁରୀ, ଅଧୀର ରଂଜନ ଚୌଧୁରୀ ଏବଂ ଅଧୀର ରଂଜନ ଚୌଧୁରୀ | ଏହା ପରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ତଥା ସାଂସଦ ଅଧୀର ରଂଜନ କହିଥିଲେ ଯେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ୍ ଜଣେ 'ବିଦେଶୀ' ଓ ସେ ଅନେକ ଜିନିଷକୁ ଭଲ ଭାବରେ ଜାଣନ୍ତି |