କୋଲକାତା: ପଶ୍ଚିମବଙ୍ଗର ଆସନ ବଣ୍ଟନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିରୋଧୀ ମେଣ୍ଟ 'ଇଣ୍ଡିଆ'ରେ ସାମିଲ କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିଛି। ଆସନ ବୁଝାମଣାକୁ ନେଇ ଜାନୁଆରି ୧୧ରେ ଦୁଇ ଦଳ ମଧ୍ୟରେ ଆଲୋଚନା ହେବାକୁ ଥିବାବେଳେ ତାହା ହୋଇପାରିନାହିଁ । ଉଭୟ ନିଜ ନିଜ ଜିଦରେ ଅଟଳ ରହିବାରୁ ବୁଝାମଣା ହୋଇପାରିନାହିଁ ।

Advertisment

ଟିଏମସି ପ୍ରଥମେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ରାଜ୍ୟର ୪୨ଟି ଲୋକସଭା ଆସନମଧ୍ୟରୁ କଂଗ୍ରେସକୁ ମାତ୍ର ୨ଟି ଆସନ ପ୍ରଦାନ କରିବାକୁ ଘୋଷଣା କରିଥିଲା । ଟିଏମସିର ଦୁଇଟି ଆସନ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ ଏହା ବହୁତ କମ୍। ଏଭଳି ସ୍ଥିତିରେ ଏହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର।

ତେବେ ଶୁକ୍ରବାର ଟିଏମସି ନିଜ ଆଭିମୁଖ୍ୟକୁ ଟିକିଏ କୋହଳ କରିବା ସହ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ୩ଟି ଆସନ ଦେବାକୁ ରାଜି ହୋଇଯାଇଛି। ତେବେ ଏହା ବଦଳରେ କଂଗ୍ରେସକୁ ଟିଏମସିକୁ ଆସାମରେ ୨ଟି ଓ ମେଘାଳୟରେ ଗୋଟିଏ ଆସନ ଦେବାକୁ ପଡ଼ିବ।

ଟିଏମସିର ଜଣେ ବରିଷ୍ଠ ନେତା ଗୁରୁବାର କହିଛନ୍ତି ଯେ କଂଗ୍ରେସକୁ ଦୁଇଟି ଆସନ ପ୍ରସ୍ତାବ ଗତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ମିଳିଥିବା ଭୋଟ୍ ଅଂଶ ଉପରେ ଆଧାରିତ ଥିଲା । ୨୦୧୯ ନିର୍ବାଚନରେ ପଶ୍ଚିମବଙ୍ଗରେ କଂଗ୍ରେସ ୪୨ଟି ଆସନରୁ ଟିଏମସି ୨୨ଟିରେ, କଂଗ୍ରେସ ୨ଟିରେ ଓ ବିଜେପି ୧୮ଟି ଆସନରେ ବିଜୟ ହାସଲ କରିଥିଲେ ।