ଏହି କାରଣ ପାଇଁ ରାଗିଛନ୍ତି ଦିଦି, ଉପରାଷ୍ଟ୍ରପତି ନିର୍ବାଚନରେ ‌ଭୋଟ ଦେବନି ଟିଏମସି

କୋଲକାତା: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନରୁ ନିବୃତ୍ତ ରହିବାକୁ ଟିଏମସି ନିଷ୍ପତ୍ତି ନେଇଛି। ମମତା ବାନାର୍ଜୀଙ୍କ ସହ ଆଲୋଚନ‌ା ନକରି ଉପରାଷ୍ଟ୍ରପତି ପ୍ରାର୍ଥୀ କାହିଁକି ଘୋଷଣା କରାଗଲା ବୋଲି ଅସନ୍ତୋଷ ଜାହିର କରି ଟିଏମସି ମତଦାନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ନିଷ୍ପତ୍ତି ଦଳରେ ସର୍ବସମ୍ମତି କ୍ରମେ ନିଆଯାଇଛି। ୮୫ପ୍ରତିଶତ ସାଂସଦ ଏହାକୁ ସମର୍ଥନ କରିଛନ୍ତି। ବିରୋଧୀମାନେ ଟିଏମସିର ପରାମର୍ଶ ନନେଇ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଥିବା ନେଇ ଅଭିଯୋଗ କରିଛି ଟିଏମସି।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ବହୁତ ସକ୍ରିୟ ଥିଲେ। ସେ ଦିଲ୍ଲୀରେ ପହଞ୍ଚି ବିରୋଧୀ ଦଳ ସହ ଏକ ବୈଠକ କରିଥିଲେ। ତେବେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସେହି ବୈଠକରେ ନିଆଯାଇପାରିନଥିଲା। ପରେ ଟିଏମସି ନେତା ଥିବା ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ। ତେବେ ରାଷ୍ଟ୍ରପତି ନିର୍ବାଚନରେ ​​ଏତେ ସକ୍ରିୟ ଥିବା ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ନଦେବା ଆଶ୍ଚର୍ଯ୍ୟଜନକ ନିଶ୍ଚୟ।

ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ବିରୋଧୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଟିଏମସି ସହିତ ଆଲୋଚନା ନକରି ମାର୍ଗାରେଟ୍ ଅଲଭାଙ୍କୁ ପ୍ରାର୍ଥୀ କରିଛି। ‌ଏଥିପାଇଁ ଆମେ ତାଙ୍କୁ ଭୋଟ ‌ଦେବୁ ନାହିଁ। ଅନ୍ୟପକ୍ଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ତେଣୁ ଟିଏମସି ମତଦାନରୁ ଦୂରେଇ ରହିବ ବୋଲି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର