ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ପେଗାସସ୍ ଏବଂ କୃଷକଙ୍କ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ଯୋଜନା କରୁଛନ୍ତି | କିନ୍ତୁ ଏହାରି ଭିତରେ ଖବର ଆସିଛି ଯେ ବିରୋଧୀ ଦଳଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି | କାରଣ ଆସନ୍ତା ନଭେମ୍ବର ୨୯ ଅର୍ଥାତ୍ ଆସନ୍ତାକାଲି ସଂସଦରେ ରଣନୀତି କଣ ହେବ ଏହାର ଆଲୋଚନା ପାଇଁ କଂଗ୍ରେସ ଦ୍ୱାରା ଡ଼କାଯାଇଥିବା ବିରୋଧୀ ଦଳ ବୈଠକରେ ଟିଏମସି ଯୋଗଦେବ ନାହିଁ। । ତେବେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଟିଏମସି ଅଂଶଗ୍ରହଣ କରିଥିଲା ।

Advertisment

ଏଥିରୁ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି ଯେ ମମତା ବାନାର୍ଜୀଙ୍କ ଦଳ ଟିଏମସି କଂଗ୍ରେସର ନେତୃତ୍ୱକୁ ଗ୍ରହଣ କରିବାକୁ ରାଜି ନାହିଁ । ଜଣେ ଟିଏମସି ନେତା କହିଛନ୍ତି ଯେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକରେ ଟିଏମସି ଯୋଗଦେବ ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ଡକାଯାଇଥିବା ଉଭୟ ବୈଠକରେ ଦଳ ଅଂଶଗ୍ରହଣ କରିବ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ଟିଏମସି ଅନେକ ଭେଟେରାନ କଂଗ୍ରେସ ନେତାଙ୍କୁ ନିଜ ଦଳରେ ସାମିଲ କରିଛି | ସଂସଦର ଶୀତ ଅଧିବେଶନ ନଭେମ୍ବର ୨୯ ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ | ଏହାପୂର୍ବରୁ ଦିଲ୍ଲୀ ଗସ୍ତରେ ଯେତେବେଳେ ମମତା ବାନାର୍ଜୀଙ୍କୁ ସୋନିଆ ଗାନ୍ଧୀଙ୍କୁ କାହିଁକି ସାକ୍ଷାତ କରୁନାହାଁନ୍ତି ବୋଲି ପଚରାଯାଇଥିଲା ସେ କହିଥିଲେ, "ମୁଁ ସୋନିଆଙ୍କୁ ପ୍ରତ୍ୟେକ ଥର କାହିଁକି ଭେଟିବି? ଏହା ସାମ୍ବିଧାନିକ ବାଧ୍ୟତାମୂଳକ ନୁହେଁ।"