ଟିଏମ୍‌ସି ବିଧାୟକ ହତ୍ୟା ମାମଲା: ମୁକୁଲ ରାୟଙ୍କ ବିରୋଧରେ ଏଫ୍‌ଆଇଆର୍‌

୨ ଜଣଙ୍କୁ ଗିରଫ୍‌ କଲା ପୁଲିସ

କୋଲକାତା: ପଶ୍ଚିମ ବଂଗର ନଦିୟା ଜିଲ୍ଲାରେ ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ବାସ ହତ୍ୟା ମାମଲାରେ ଆଜି ବିଜେପି ନେତା ମୁକୁଲ ରାୟଙ୍କ ସମେତ ୪ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ହତ୍ୟା ମାମଲାରେ ଏଫ୍‌ଆଇଆର୍‌କୁ ନେଇ ମୁକୁଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହା ଟିଏମ୍‌ସିର ହୀନ ରାଜନୀତି ବୋଲି କହିଛନ୍ତି। କେବଳ ରାଜନୈତିକ କାରଣରୁ ତାଙ୍କୁ ଅଡ଼ୁଆରେ ପକାଇବାକୁ ଟିଏମ୍‌ସି ଏଭଳି କରିଛି, କିନ୍ତୁ ଏହି ଷଡ଼ଯନ୍ତ୍ରକୁ ସେ ପଣ୍ଡ କରିବେ ବୋଲି କହିଛନ୍ତି। ବିଶ୍ବାସଙ୍କୁ ହତ୍ୟା କରାଯିବା ବେଳେ ସେ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଥିଲେ ଏବଂ ଦଳର ଭୟଙ୍କର ଆଭ୍ୟନ୍ତରୀଣ କନ୍ଦଳର ସେ ଶିକାର ହୋଇଛନ୍ତି। ଜନସାଧାରଣ ଏ ବାବଦରେ ଠିକ୍‌ ଜାଣିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଏହାର ଜବାବ ମିଳିବ ବୋଲି ସେ କହିଛନ୍ତି। ବିଧାୟକ ହତ୍ୟା ମାମଲାରେ ଆଜି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ବିଶ୍ବାସଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗୁଳି କରି ହତ୍ୟା କରାଯାଇଥିଲା। ଅଜ୍ଞାତ ଆତତାୟୀମାନେ ତାଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ନଦିୟା ଜିଲ୍ଲାରେ ଉତ୍ତେଜନା ଲାଗି ରହିଛି। ଟିଏମ୍‌ସି ଏହି ମାମଲାରେ ବିଜେପିକୁ ଟାର୍ଗେଟ୍‌ କରୁଛି ଏବଂ ସରକାରଙ୍କ ଏହି ପ୍ରତିଶୋଧପୂର୍ଣ୍ଣ ରାଜନୀତି ବିରୋଧରେ ଲଢ଼େଇ ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି।

ସମ୍ବନ୍ଧିତ ଖବର