ତାମିଲନାଡୁରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ହଜାର ଟପିଲା, ଗୋଟିଏ ଦିନରେ ୨ ହଜାର ଚିହ୍ନଟ

ଚେନ୍ନାଇ : ତାମିଲନାଡ଼ୁରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ରାଜ୍ୟରେ ଗୋଟିଏ ଦିନରେ ଆଜି ରେକର୍ଡ ୨୧୭୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୫୦ ହଜାର ଟପିଯାଇଛି । ମଙ୍ଗଳବାରଦିନ ରାଜ୍ୟରେ ୧୫୧୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ।
ଚେନ୍ନାଇ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ରହିଛି । ବୁଧବାରଦିନ ଏଠାରେ ମୋଟ ୧୨୭୬ଟି ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଚେନ୍ନାଇ ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା ୩୫୫୫୬ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ବୁଧବାରଦିନ ରାଜ୍ୟରେ ୪୮ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୫୭୬ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କଲେଣି ।
ବଢିଚାଲିଥିବା ମାମଲାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହ ଆରମ୍ଭରେ ରାଜ୍ୟ ସରକାର ଚେନ୍ନାଇ, ତିରୁଭଲ୍ଲୁର, ଚେଙ୍ଗଲାପେଟ ଓ କାଞ୍ଚିପୁରମରେ ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ।
ଆଜି ସମଗ୍ର ଦେଶରେ କରୋନା ସଂକ୍ରମଣ ସଂଖ୍ୟା ସାଢେ ୩ ଲକ୍ଷ ଟପିଯାଇଛି । ଆଜି ଗୋଟିଏ ଦିନରେ ଦେଶରେ ୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ଓ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି ।

ସମ୍ବନ୍ଧିତ ଖବର