ବେସରକାରୀ କମ୍ପାନିରେ ଚାକିରି ଦେବେ ରାଜ୍ୟ ସରକାର

ଚେନ୍ନାଇ: ରାଜ୍ୟରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ତାମିଲନାଡୁ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି | ରାଜ୍ୟର ଯୁବପିଢିଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ୱେବସାଇଟ ଖୋଲିଛନ୍ତି | ଏହା ମାଧ୍ୟମରେ ତାମିଲନାଡୁ ସରକାର ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ସଂସ୍ଥା ସହ ଯୋଗାଯୋଗ ସ୍ଥାପନ କରି ଯୁବପିଢ଼ିଙ୍କୁ ଚାକିରି ଦେବେ | ତାମିଲନାଡୁ ପ୍ରାଇଭେଟ ଜବ୍ ପୋର୍ଟାଲ ନାମରେ ରାଜ୍ୟ ସରକାରଙ୍କ ନିଯୁକ୍ତି ଓ ତାଲିମ ବିଭାଗ ଏକ ୱେବସାଇଟ ପ୍ରସ୍ତୁତ କରିଛି | ଏଠାରେ ଉଭୟ ନିଯୁକ୍ତିଦାତା ଓ ଆଶାୟୀଙ୍କୁ ସାମିଲ କରାଯାଇଛି |

ଏହି ୱେବସାଇଟକୁ ଉଭୟ ଆଶାୟୀ ଓ ନିଯୁକ୍ତିଦାତା ଲଗଇନ କରିପାରିବେ | ଏଥିରେ ନିଯୁକ୍ତିମେଳାଠାରୁ ଆରମ୍ଭ କରି ନିଯୁକ୍ତି ସମ୍ବଦ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି | ରାଜ୍ୟରେ ଥିବା ସମସ୍ୟା ବେସରକାରୀ କମ୍ପାନୀ, ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗ ସ୍ଥାପନ କରି ଯଦି କିଛି ଖାଲି ପଦବୀ ଥାଏ ତେବେ ସେଥିପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବେ | ଅର୍ଥାତ ଆଶାୟୀ ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ଏହି ୱେବସାଇଟ ଏକ ସେତୁ ଭଳି କାର୍ଯ୍ୟ କରିବ | ବର୍ତ୍ତମାନ ସୁଦ୍ଧା ୪୨ଟି କ୍ଷେତ୍ରରେ ୨୪୨୩ଟି କମ୍ପାନୀ ପଞ୍ଜିକରଣ କରିଥିବାବେଳେ ସମୁଦାୟ ୨୩୪୧୦ଟି ଖାଲି ପଦବୀ ରହିଛି |

ଆଉ ଏହି ସବୁ ପଦ ପାଇଁ ବର୍ତ୍ତମାନ ସୁଦ୍ଧା ୭୩ ହଜାର ୧୩ ଜଣ ଆବେଦନ କରିଥିବାବେଳେ ୩ ହଜାର ୩୧୬ ଜଣଙ୍କୁ ନିଯୁକ୍ତି ମିଳିଛି | ଏହି ୱେବସାଇଟ ମାଧ୍ୟମରେ ଚାକିରି ପାଇବାକୁ ହେଲେ ଜଣେ ଆଶାୟୀ ପ୍ରଥମେ ପଞ୍ଜିକରଣ କରିବେ | କେଉଁ କ୍ଷେତ୍ରରେ ଚାକିରି କରିବାକୁ ସେ ଇଛୁକ ସେ ବାବଦରେ ତଥ୍ୟ ଦେଇ ବାୟୋଡ଼ାଟାକୁ ଦାଖଲ କରିବେ | ଯେଉଁ କମ୍ପାନୀ ପାଇଁ ସେ ଉପଯୁକ୍ତ ସେହି କମ୍ପାନୀରେ ସେ ସାକ୍ଷାତକାର ଦେଇ ଚାକିରି ପାଇପାରିବେ | ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ଦୂର କରିବା ସହ କମ୍ପାନୀମାନଙ୍କ ମଧ୍ୟରେ ଥିବା ଆବଶ୍ୟକତା ପୂରଣ ପାଇଁ ଏଭଳି ୱେବସାଇଟ ସଞ୍ଚାଳିତ କରାଯାଉଛି |

ସମ୍ବନ୍ଧିତ ଖବର