ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ରାଜ୍ୟ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନଥିବା କୁହାଯାଉଛି । ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ଡିଏମକେ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହେବାର ସମ୍ଭାବନା ଦେଖାଦେଇଛି।

Advertisment

ସେନ୍ଥିଲ ବାଲାଜୀ ଚାକିରି ବଦଳରେ ନଗଦ ଟଙ୍କା ନେବା ଏବଂ ମନି ଲଣ୍ଡରିଂ ସମେତ ଅନେକ ଦୁର୍ନୀତି ମାମଲା ତଥା କେତେକ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜଭବନ ପକ୍ଷରୁ କୁହାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତଦନ୍ତ କରାଯାଉଥିବା ଏକ ଅପରାଧିକ ମାମଲାରେ ଗିରଫ ହୋଇ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏଣୁ ଏସବୁକୁ ଦୃଷ୍ଟିରେ ରଖି ତାଙ୍କୁ ବହିଷ୍କାର କରାଗଲା ବୋଲି ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ତେବେ ରାଜ୍ୟପାଳଙ୍କ ଏହି ପଦକ୍ଷେପ ପରେ ତାମିଲନାଡୁରେ ରାଜନୈତିକ  ବିବାଦ ବଢିବାର ସମ୍ଭାବନା ରହିଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ  ରାଜ୍ୟପାଳ କୌଣସି ମନ୍ତ୍ରୀଙ୍କୁ ବହିଷ୍କାର କରିବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହା ବିରୋଧରେ ତାମିଲନାଡ଼ୁର ଷ୍ଟାଲିନ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାର ସମ୍ଭାବନା ମଧ୍ୟ ରହିଛି।

ଚେନ୍ନାଇର ଏକ କୋର୍ଟ ବୁଧବାରଦିନ ସେନ୍ଥିଲ ବାଲାଜୀଙ୍କ ହାଜତ ମିଆଦକୁ ବଢାଇଦେଇଥିଲେ । ଏହାପରେ ରାଜ୍ୟପାଳ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଅନୁମାନ କରାଯାଉଛି।