ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ତାମିଲ୍‌ନାଡୁ ରାଜ୍ୟପାଳ ବନ୍‌ଓ୍ଵାରିଲାଲ୍‌ ପୁରୋହିତ ଭୁଲ୍‌ ମାଗିଲେ

ଚେନ୍ନାଇ: ବିନା ଅନୁମତିରେ ଜଣେ ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ ଥିବା କାରଣରୁ ରାଜ୍ୟପାଳ ବନ୍‌ଓ୍ଵାରିଲାଲ୍‌ ପୁରୋହିତ କ୍ଷମା ଯାଚନା କରନ୍ତୁ ବୋଲି ତାମିଲ୍‌ନାଡୁ ସାମ୍ବାଦିକ ସଂଘ ଦାବି କରିବା ପରେ ସେ ଭୁଲ ମାଗିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ରାଜ୍ୟପାଳଙ୍କୁ ଏକ ପତ୍ର ଲେଖି ସାମ୍ବାଦିକମାନେ ଯେ ସେ ନିସର୍ତ୍ତ କ୍ଷମା ଯାଚନା କରିବା ଉଚିତ ବୋଲି ଦାବି କରିଥିଲେ।

ରାଜ୍ୟପାଳଙ୍କର ସୁପରିଚିତ ଜଣେ ପ୍ରଫେସର୍‌ ଯୌନାଚାର ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରଲୋଭିତ କରୁଛନ୍ତି ବୋଲି କୁହାଯାଉଥିବା ମାମଲାରେ କିଛି କହିବାକୁ ପୁରୋହିତ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଏ ଘଟଣା ଘଟିଥିଲା। ସେଠାରେ ଉପସ୍ଥିତ ଥିବା ଏକ ସୁପରିଚିତ ସାପ୍ତହିକୀର ବରିଷ୍ଠ ସାମ୍ବାଦିକା ଲକ୍ଷ୍ମୀ ସୁବ୍ରମଣିୟାନ୍‌ ପୁରୋହିତଙ୍କୁ ପ୍ରଶ୍ନ ପଚାରିବା ବେଳେ ସେ ଉତ୍ତର ନ ଦେଇ ବିନା ଅନୁମତିରେ ତାଙ୍କ ଗାଲ ଥାପୁଡ଼ାଇ ଦେଇଥିଲେ। ପରେ ଲକ୍ଷ୍ମୀ ଟୁଇଟର୍‌ ଜରିଆରେ ନିଜ କ୍ରୋଧ ପ୍ରକାଶ କରିଥିଲେ।

ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରରେ ସାମ୍ବାଦିକ ସଂଘ ତାଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ଜଣେ ସାମ୍ବିଧାନିକ ବ୍ୟକ୍ତିତ୍ବ ହୋଇଥିବାରୁ ତାଙ୍କର ଏ ଭଳି ଆଚରଣ ନିଶ୍ଚୟ କ୍ଷୋଭ ଉଦ୍ରେକାରୀ। ସ୍ପର୍ଶ ପିତୃପ୍ରତିମ ହୋଇଥିଲେ ମଧ୍ୟ ବିନାନୁମତିରେ ଜଣେ ମହିଳାଙ୍କୁ ସ୍ପର୍ଶ କରିବା ଦ୍ୱାରା ଗୋଟିଏ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ନିଜର ମୌଳିକ ସୌଜନ୍ୟ ଏବଂ ସମ୍ମାନ ହରାଇଛନ୍ତି।

ଚିଠିରେ ପୁରୋହିତଙ୍କୁ ଆହୁରି ସ୍ମରଣ କରାଇ ଦିଆଯାଇଛି ଯେ ଆଇନ ଅନୁସାରେ ଏ ଭଳି ସ୍ପର୍ଶ ଧର୍ତ୍ତବ୍ୟ ଅପରାଧ ଏବଂ ଏଥିପାଇଁ ଜାମିନ ମିଳେ ନାହିଁ।

ସମ୍ବନ୍ଧିତ ଖବର