ଚେନ୍ନାଇ : ମନି ଲଣ୍ଡରିଂ ମାମଲାରେ ଫସିଥିବା ତାମିଲନାଡୁର ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଆଜି ଅଦାଲତରୁ ଜୋରଦାର ଝଟକା ଲାଗିଛି । ଅଦାଲତ ତାଙ୍କ ହେପାଜତକୁ ଜୁନ୍ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବାଲାଜୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଚେନ୍ନାଇ ମେଟ୍ରୋପଲିଟାନ ସେସନ୍ସ କୋର୍ଟରେ ହାଜର ହୋଇଥିଲେ । ତାଙ୍କୁ ଜୁନ୍ ୨୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି ।

Advertisment

ସେନ୍ଥିଲ ବାଲାଜୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ୍ୟାସ ଫର ଜବ୍ (ଚାକିରି ପାଇଁ ଟଙ୍କା) ଦୁର୍ନୀତି ମାମଲାରେ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ଚଳିତ ସପ୍ତାହ ଆରମ୍ଭରେ ଅଦାଲତ ବାଲାଜୀଙ୍କୁ ୨୦୨୩ ଜୁନ୍ ୨୮ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ସେହିପରି ଏହି ଦୁର୍ନୀତି ମାମଲାରେ ଇଡି ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ମଧ୍ୟ ସମନ ଜାରି କରିଛି । ଆସନ୍ତା ସପ୍ତାହରେ ତାଙ୍କୁ ପଚରାଉଚରା କରାଯିବ। ବାଲାଜୀଙ୍କ ଇଡି ହେପାଜତ ବୃଦ୍ଧି ସହିତ ତାମିଲନାଡୁ ସରକାରଙ୍କ ଅସୁବିଧା ମଧ୍ୟ ବଢିବାରେ ଲାଗିଛି ।

ସେପଟେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଓ ଷ୍ଟାଲିନ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ସୁପାରିସକ୍ରମେ ରାଜ୍ୟପାଳ ଶୁକ୍ରବାର ବାଲାଜୀଙ୍କ ଦ୍ୱାରା ପରିଚାଳିତ ବିଭାଗଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀମାନଙ୍କୁ ଆବଣ୍ଟନ କରିଥିଲେ । କିନ୍ତୁ ବାଲାଜୀଙ୍କୁ ମନ୍ତ୍ରିମଣ୍ଡଳରେ ବଜାୟ ରଖିବାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ଷ୍ଟାଲିନଙ୍କ ଦଳ ଡିଏମକେ କହିଛି ଯେ ଏହା ରାଜ୍ୟପାଳଙ୍କ ଅଧିକାରରେ ନାହିଁ ।