ଚେନ୍ନାଇ: ‘ମନିଲଣ୍ଡରିଙ୍ଗ୍‌’ ଅଭିଯୋଗରେ ଗିରଫ ହୋଇଥିବା ତାମିଲନାଡୁ ବିଜୁଳିଶକ୍ତି ଓ ଅବକାରୀ ମନ୍ତ୍ରୀ ଭି. ସେନ୍ତିଲ୍‌ ବାଲାଜୀ ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ‘କରୋନାରି ଆର୍ଟେରି ବାଇପାସ୍‌’ ଅସ୍ତ୍ରୋପଚାର କରାଇଥିବା ଡାକ୍ତରଖାନାସୂତ୍ରରୁ ପ୍ରକାଶ।

Advertisment

ଡାକ୍ତରଖାନା ଜାରି କରିଥିବା ସଂକ୍ଷିପ୍ତ ବିବରଣୀ ଅନୁସାରେ, ବାଲାଜୀଙ୍କର ହୃତ୍‌ପିଣ୍ଡର ‘କରୋନାରି ଆର୍ଟେରି ବାଇପାସ୍‌ ସର୍ଜରି’ କରାଯାଇଛି। ୪ଟି ‘ବାଇପାସ୍‌ ଗ୍ରାଫ୍ଟ୍‌’ ଲଗାଯିବା ସହିତ ‘କରୋନାରି ରିଭାସ୍କୁଲେରାଇଜେସନ୍‌’ ଲଗାଯାଇଥିଲା। ସମ୍ପ୍ରତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କୁ ‘ଆଇସିୟୁ’ରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ବାଲାଜୀଙ୍କର ଅନ୍ୟତମ ସହଯୋଗୀ ମନ୍ତ୍ରୀ ଏମ୍. ସୁବ୍ରମଣିୟାନ୍‌ କହିଛନ୍ତି, ସେନ୍ତିଲ୍‌ ବାଲାଜୀଙ୍କର ବାଇପାସ୍‌ ସର୍ଜରି କରାଯାଇଛି। ଏବେ ତାଙ୍କୁ ଅସ୍ତ୍ରୋପଚାର-ପରବର୍ତ୍ତୀ ୱାର୍ଡରେ ରଖାଯାଇଛି। ଡାକ୍ତରଖାନାର ଡାକ୍ତରମାନଙ୍କ ସହିତ ମୁଁ ଯୋଗାଯୋଗ ରଖିଛି।

ଚାକିରି କରାଇଦେବା ପାଇଁ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଚଳିତ ମାସ ୧୪ ତାରିଖରେ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବାରୁ ତାମିଲନାଡୁରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

ଗିରଫ ହେବା ପରେ ଛାତିରେ ଯନ୍ତ୍ରଣା ହେଉଛି କହି ବାଲାଜୀ ମଧ୍ୟ କାନ୍ଦି କାନ୍ଦି ଗଡ଼ିଯାଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ତାଙ୍କ ହୃତ୍‌ପିଣ୍ଡରେ ସମସ୍ୟା ଥିବା କଥା ଜଣାଇ ତୁରନ୍ତ ଅସ୍ତ୍ରୋପଚାର କରିବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଥିଲେ।