ଚେନ୍ନାଇ : ଏକ ସାଂପ୍ରଦାୟିକ ବୟାନ ଦେଇ ବିବାଦରେ ଫସି ଯାଇଛନ୍ତି ତାମିଲନାଡ଼ୁ ବିଧାନସଭା ବାଚସ୍ପତି ଏମ.ଆପ୍ପାଭୁ । ସେ କହିଛନ୍ତି ଯେ, ଯଦି ତାମିଲନାଡ଼ୁରେ କ୍ୟାଥୋଲିକ ଖ୍ରୀଷ୍ଟିଆନମାନେ ନ ଥାନ୍ତେ, ତେବେ ତାହା ବିହାର ପରି ହୋଇଯାଇଥାନ୍ତା ।

Advertisment

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ଆପ୍ପାଭୁ କହିଛନ୍ତି ଯେ, ତାମିଲନାଡ଼ୁର ୫୭ ପ୍ରତିଶତ ଶିକ୍ଷିତ ହେଉଛନ୍ତି ସ୍ନାତକ ବା ଗ୍ରାଜୁଏଟ । ରାଜ୍ୟରେ ଥିବା  ଖ୍ରୀଷ୍ଟିଆନ ସ୍କୁଲ ଓ କଲେଜ ଯୋଗୁଁ ଏହା ସମ୍ଭବ ହୋଇପାରିଛି । କ୍ୟାଥୋଲିକ ଖ୍ରୀଷ୍ଟିଆନମାନଙ୍କ ଯୋଗୁଁ ସାମାଜିକ ନ୍ୟାୟ ଆସିପାରିଛି ବୋଲି ସେ କହିଛନ୍ତି ।

ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏପରି ସାଂପ୍ରଦାୟିକ ବୟାନ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।

ତାମିଲନାଡ଼ୁ ବିଜେପି ମୁଖପାତ୍ର ମୋହନ କ୍ରିଷ୍ଣା କହିଛନ୍ତି ଯେ ବାଚସ୍ପତି ଯୋଉଁ ପ୍ରକାରର ଭାଷା ବ୍ୟବହାର କରିଛନ୍ତି ତାହା ଅତି ସାଂପ୍ରଦାୟିକ । ଖ୍ରୀଷ୍ଟିଆନଙ୍କ ବିନା ତାମିଲନାଡୁ ବିହାର ହୋଇଯିବ ବୋଲି ସେ ଦେଇଥିବା ବୟାନ ଏକ ତୁଷ୍ଟିକରଣ ରାଜନୀତି ।

ତାମିଲନାଡୁର ଶାସନ କରୁଥିବା ଡିଏମକେ ସରକାର ହିନ୍ଦୁ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛି । କ୍ଷମତାକୁ ଆସିବା ପରଠାରୁ ଡିଏମକେ ବିବାଦ ସୃଷ୍ଟି କରିଚାଲିଛି । ସେମାନଙ୍କ ଏଜେଣ୍ଡା ହେଉଛି ହିନ୍ଦୁମାନଙ୍କୁ ଅପମାନିତ କରିବା ଓ ରାଜ୍ୟରେ ହିନ୍ଦୁ ବିରୋଧୀ ଦୁସ୍ପ୍ରଚାର କରିବା ବୋଲି ଦଳ କହିଛି ।