ତିନି ଦଶନ୍ଧିର ଶ୍ରମ ସାର୍ଥକ ହେଲା: ଟଙ୍କାକରେ ଇଟିଲି ବିକୁଥିବା ୮୦ ବର୍ଷୀୟା ଆମ୍ମାଙ୍କ ନିକଟକୁ ଛୁଟିଲା ସାହାଯ୍ୟର ସୁଅ; ଆନନ୍ଦ ମହିନ୍ଦ୍ରା ଦେଲେ ଚୂଲା, ଧର୍ମେନ୍ଦ୍ର ଗ୍ୟାସ ସଂଯୋଗ

କୋଏମ୍ବାଟୁର: ବିଗତ ୩୦ ବର୍ଷ ଧରି ଭାଦିଭେଲମ୍‌ପାଲାୟାମ୍‌ର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅତି ମାମୁଲି କିନ୍ତୁ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଥିବା ସ୍ୱାଦିଷ୍ଠ ଇଟିଲି ବିକ୍ରୟ କରି ଆସୁଥିବା ୮୦ ବର୍ଷ ବୟସ୍କା କମଲାଥଲଙ୍କ ଆଡ଼କୁ ଶେଷରେ ବହୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ିଛି।

ଉଲ୍ଲେଖଯୋଗ୍ୟ, କୋଏମ୍ବାଟୁର ଭାଦିଭେଲମ୍‌ପାଲାୟାମ୍‌ର ୮୦ ବର୍ଷ ବୟସ୍କା କମଲାଥଲ ଆମ୍ମା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଶସ୍ତା ଦରରେ, ମାତ୍ର ୧ ଟଙ୍କାରେ ଇଟିଲି ବିକ୍ରୟ କରି ଆସୁଥିଲେ। କମଲାଥଲଙ୍କ ଦ୍ୱାରା ପ୍ରସ୍ତୁତ ଇଟିଲି ଶସ୍ତା ହେବା ସହ ସ୍ୱାଦିଷ୍ଠ ଥିବା କାରଣରୁ ତାଙ୍କର ଗ୍ରାହକଙ୍କ ସଂଖ୍ୟା ମାତ୍ରାଧିକ ଥିଲା। ଏବଂ ଗ୍ରାହକଙ୍କ ମଧ୍ୟରେ ସଂଖ୍ୟାଧିକ ଥିଲେ ଶ୍ରମଜୀବୀ। ସକାଳ ଜଳଖିଆରେ ସମସ୍ତେ ତାଙ୍କ ଇଟିଲି ଖାଇବାକୁ ପସନ୍ଦ କରୁଥିଲେ। ହେଲେ, କମଲାଥଲଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା କାରଣରୁ ସେ ବହୁ ଶ୍ରମ ସ୍ୱୀକାର କରି କାଠଚୂଲାରେ ଏହି ସବୁ ଇଟିଲିକୁ ପ୍ରସ୍ତୁତ କରୁଥିଲେ।

ତେବେ, କମଲାଥଲଙ୍କ ସଂଘର୍ଷର କାହାଣୀ ଏକ ପ୍ରମୁଖ ଜାତୀୟସ୍ତରର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବେ ତାଙ୍କ ନିକଟକୁ ବିଭିନ୍ନ ଆଡ଼ୁ ସାହାଯ୍ୟ ସହଯୋଗର ହାତ ବଢ଼ିଛି। ତାଙ୍କର ଏହି ଶସ୍ତା ଜଳଖିଆକୁ ଚାଲୁ ରଖିବା ପାଇଁ ତିନିଟି କମ୍ପାନି ଏବେ ତାଙ୍କୁ ଇଟିଲି ପ୍ରସ୍ତୁତ କରିବା ପାଇଁ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ସହ ଚୂଲା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। କମଲାଥଲଙ୍କ ସଂପର୍କରେ ଜାଣିବା ପରେ ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ଯେ ସେ କମଲାଥଲଙ୍କ ବ୍ୟବସାୟରେ ‘ବିନିଯୋଗ’ କରିବାକୁ ଆଗ୍ରହୀ ଏବଂ ଏଥିପାଇଁ ସେ ଚୂଲା ସହ ଗ୍ୟାସ ସିଲିଣ୍ଡର ତାଙ୍କୁ ଯୋଗାଇ ଦେବେ। ଏବଂ ନିୟମିତ ଭାବେ କମଲାଥଲଙ୍କୁ ଯେପରି ସିଲିଣ୍ଡର ମିଳିବ ସେ ବ୍ୟବସ୍ଥା ମଧ୍ୟ ସେ ତାଙ୍କର କର୍ମଚାରୀମାନଙ୍କ ଜରିଆରେ କରିବେ।

New Indian Express

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଧୀନରେ ଥିବା ଅଏଲ ମାର୍କେଟିଂ କମ୍ପାନି (ଓଏମ୍‌ସି)କୁ ନିର୍ଦ୍ଦେଶ ଦେଇ କମଲାଥଲଙ୍କୁ ଗ୍ୟାସ ଚୂଲା ସହ ସିଲିଣ୍ଡର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ ମିଳିବା ପରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ଗ୍ୟାସ ପକ୍ଷରୁ କମଲାଥଲଙ୍କୁ ଗ୍ୟାସ ଚୂଲା ଓ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଏବଂ ଏବେ କମଲାଥଲ ଗ୍ୟାସ ଚୂଲାରେ ତାଙ୍କ ଇଟିଲି ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ କାଠ ଚୂଲାରେ ଗୋଟିଏ ଭାରି ଇଟିଲି ପ୍ରସ୍ତୁତ କରାବାକୁ କମଲାଥଲଙ୍କୁ ୨୦ରୁ ୩୦ ମିନିଟ ଲାଗୁଥିବା ବେଳେ ଏବେ ଗ୍ୟାସ ଚୂଲାରେ ମାତ୍ର ୧୦ରୁ ୧୫ ମିନିଟ ଲାଗୁଛି।

ଏସବୁ ଜାଣବା ପରେ ଜିଲ୍ଲାପାଳ କେ. ରାଜାମଣି ମଧ୍ୟ କମଲାଥଲଙ୍କୁ ଇଟିଲି ପ୍ରସ୍ତୁତ ପାଇଁ ନୂତନ କନା ଯୋଗାଇ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର