ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ଆଲୋଚନାରେ ଅଂଶଗ୍ରହଣ କରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ବସ୍ ଯୋଗେ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ । ଆଜି ଏ ନେଇ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ ।

ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ନିରାପଦରେ ଫେରାଇ ଆଣିବାକୁ ଉଭୟଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ  ଦୁଇ ରାଜ୍ୟର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ ହେବ । ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ଭିଡିଓ କନଫରେନ୍ସିଂରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ, ବେଆଇନ ଭାବେ ଡଙ୍ଗା ଭଡ଼ା କରି ଅନ୍ୟ ରାଜ୍ୟରୁ ଲୋକ ଆଣୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଉପକୂଳ ଅଂଚଳର ସମସ୍ତ ଡଙ୍ଗାଚାଳକଙ୍କୁ ପରିବହନ ବିଭାଗ କଡା ଚେତାବନୀ ଦେଇଛନ୍ତି । ପରିବହନ ମନ୍ତ୍ରୀ ବାହାର ରାଜ୍ୟରୁ ଆସିଥିବା ଡଙ୍ଗା ଜବତ ହୋଇଛି । ଜବତ ହୋଇଥିବା ଡଙ୍ଗାରେ ଆସିଥିବା ଲୋକଙ୍କୁ ଗଞ୍ଜାମରେ ସଙ୍ଗରୋଧରେ ରଖାଯାଇଛି । କେଉଁଠୁ କେମିତି ଆଉ କେଉଁ ପରିସ୍ଥିତିରେ ଆସିଲେ ସେ ସମସ୍ତ ଘଟଣାର ତଦନ୍ତ ହେବ । ତଟବର୍ତୀ ଅଂଚଳ ଉପରେ କଡା ନଜର ରଖାଯାଇଛି ।

ସମ୍ବନ୍ଧିତ ଖବର