ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାକୁ ’ଟେରର୍‌ ମନିଟରିଙ୍ଗ୍‌ ଗ୍ରୁପ୍‌’ ଗଠନ କଲା କେନ୍ଦ୍ର

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କ ପାଣ୍ଠି ଏବଂ ଆତଙ୍କ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟକଳାପ ବିପକ୍ଷରେ ଏକାଧିକ ଏଜେଣ୍ଟ୍‌ମାନଙ୍କ କାର୍ଯ୍ୟରେ ସମନ୍ଵୟ ରକ୍ଷା ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ ‘ମଲ୍‌ଟି-ଡିସିପ୍ଲିନେରି ଟେରର୍‌ ମନିଟରିଙ୍ଗ୍‌ ଗ୍ରୁପ୍‌’ (ଟିଏମ୍‌ଜି) ଗଠନ କରିଛି।

ଏହି ‘ଟିଏମ୍‌ଜି’ର ନେତୃତ୍ୱ ନେବେ ଜମ୍ମୁ ଓ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି। ଏଥିରେ ଜମ୍ମୁ ଓ କଶ୍ମୀର ପୁଲିସର ଆଇଜିପି, ଆଡିସ୍‌ନାଲ୍‌ ଡାଇରେକ୍ଟର୍‌ ଆଇବି, ସିବିଆଇ, ଏନ୍‌ଆଇଏ, ସିବିଡିଟି, ସିବିଆଇଟି ଏବଂ ଅଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟମାନେ ମନୋନୀତ କରିଥିବା ଅନ୍ୟ ସଦସ୍ୟ ଅନ୍ତର୍ଭୁକ୍ତ ହେବେ।

ଆଦେଶ ଅନୁସାରେ, ଆତଙ୍କବାଦକୁ କୌଣସି ପ୍ରକାର ସମର୍ଥନ କରିବାରେ ସମ୍ପୃକ୍ତ ଥିବା ମୁଖ୍ୟ ବ୍ୟକ୍ତି ବା ସଂସ୍ଥାର ମୁଖ୍ୟଙ୍କ ବିଷୟରେ ‘ଟିଏମ୍‌ଜି’ ତଦନ୍ତ କରିବା ସହ ମିଳିତ କାର୍ଯ୍ୟାନୁଷ୍ଠାନ ବଳରେ ଆତଙ୍କବାଦକୁ ଯୋଗାଇ ଦିଆଯାଉଥିବା ଅର୍ଥର ଉତ୍ସ ବନ୍ଦ କରିବ।

ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଟିଏମ୍‌ଜି ଗ୍ରୁପ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରତି ସପ୍ତାହରେ ବୈଠକ ବସାଇ ଏହି ଗ୍ରୁପ୍‌ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବ।

ସମ୍ବନ୍ଧିତ ଖବର