ସୁଦୂର ଗାଁ’ଗୁଡ଼ିକୁ ଓ୍ଵାଇ-ଫାଇ ଦ୍ୱାରା ସଂଯୋଗ କରିବାକୁ ଉତ୍ତରାଖଣ୍ଡ ଆରମ୍ଭ କଲା ବେଲୁନ୍ଭିତ୍ତିକ ଇଣ୍ଟର୍ନେଟ୍ ସେବା
ଡେରାଡୁନ୍: ଉତ୍ତରାଖଣ୍ଡର ଦୂରାନ୍ତ ଗାଁମାନଙ୍କରେ ଖୁବ୍ ଶୀଘ୍ର ମାଗଣା ଓ୍ଵାଇ-ଫାଇ ଯୋଗାଇବ ଇଣ୍ଟର୍ନେଟ୍ ପ୍ରସାରଣକାରୀ ବେଲୁନ୍। ଏହି ପାର୍ବତ୍ୟ ରାଜ୍ୟରେ ଥିବା ମଫସଲ ଅଞ୍ଚଳରେ ଇଣ୍ଟର୍ନେଟ୍ ଆକ୍ସେସ୍ ଯୋଗାଇ ଦେବା ପାଇଁ ଖଟା ଯାଇଥିବା ଉଦ୍ଜାନ ବେଲୁନ୍ ବ୍ୟବହାର କରାଯିବ।
ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ଡେରାଡୁନ୍ ଅନ୍ତର୍ଗତ ଆଇଟି ପାର୍କରେ ପରୀକ୍ଷାମୂଳକ ଏ ପ୍ରକାର ପ୍ରଥମ ଉଦ୍ଜାନ ବେଲୁନ୍ ଲଞ୍ଚ୍ କରାଯାଇଛି।
ଏହି ବେଲୁନ୍କୁ ଉପରକୁ ଉଠାଇ ରଖିବାକୁ ଉଦ୍ଜାନ ବାଷ୍ପ ବ୍ୟବହୃତ ହୁଏ। ସର୍ଭିଲେନ୍ସ୍ ପାଇଁ ଏଥିରେ ରହିଛି କ୍ୟାମେରା, କଲ୍ କରିବାକୁ ରହିଛି ଗୋଟାଏ ବେସ୍ ଟ୍ରାନ୍ସ୍ରିସିଭର୍ ଆଣ୍ଟେନା ଏବଂ ଇଣ୍ଟର୍ନେଟ୍ ଯୋଗାଇବାକୁ ରହିଛି ଓ୍ଵାଇ-ଫାଇ ମୋଡେମ୍। ୬ ମିଟର୍ ଲମ୍ବ ଏହି ବେଲୁନ୍ଟି ୧୪ ଦିନ ପାଇଁ ଶୂନ୍ୟରେ ଭାସି ବୁଲିବ।
ପ୍ରତି ଉଦ୍ଜାନ ବେଲୁନ୍ ସ୍ଥାପନା କରିବାକୁ ଲାଗିବ ୫୦ ଲକ୍ଷ ଟଙ୍କା। ଏହା ୫ ଏମ୍ବିପିଏସ୍ ବେଗରେ ୭. ୫ ରେଞ୍ଜ୍ରେ ଇଣ୍ଟର୍ନେଟ୍ ସେବା ଯୋଗାଇବ। ଏହି ରେଞ୍ଜ୍ ମଧ୍ୟରେ ଥିବା ଯେ କେହି ପ୍ରାରମ୍ଭିକ ଭାବେ ମାଗଣାରେ ଓ୍ଵାଇ-ଫାଇ ସେବା ପାଇବେ। ବିନା ପାସ୍ ଓ୍ଵାର୍ଡରେ ଯେ କେହି ଏହାକୁ ଲଗ୍ ଇନ୍ କରିବାକୁ ସମର୍ଥ ହେବେ।