କରୋନା ମୃତ୍ୟୁ ହାର ରୋକିବା ପାଇଁ ଓଡ଼ିଶା ସମେତ ୧୭ ରାଜ୍ୟର ଡାକ୍ତରମାନଙ୍କୁ ଟେଲି ପରାମର୍ଶ ଦେବ ଦିଲ୍ଲୀ ଏମ୍‌ସ

ପ୍ରଥମ ପର୍ଯ୍ୟାୟରେ ଭାଗନେବେ ୧୦୦୦ରୁ ଅଧିକ ଶଯ୍ୟା ଥିବା ୧୦ଟି ହସ୍ପିଟାଲ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ହାର କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ବିଶେଷଜ୍ଞ ଚିକିତ୍ସକମାନଙ୍କୁ ନେଇ ଏକ ଦଳ ଗଠନ କରିଛି।

ଏହି ଦଳ ବିଭିନ୍ନ ରାଜ୍ୟରେ କରୋନା ଆଇସିୟୁ ସହିତ ସଂଶ୍ଳିଷ୍ଟ ଡାକ୍ତରମାନଙ୍କୁ ପରାମର୍ଶ ଦେବେ। କୋଭିଡ-୧୯ ଚିକିତ୍ସାରେ ଟେଲି ପରାମର୍ଶକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ବିବେଚନା କରାଯାଉଛି। ନୂଆଦିଲ୍ଲୀ ଏମ୍‌ସର ବିଶେଷଜ୍ଞମାନେ ଟେଲି ଭିଡିଓ ପରାମର୍ଶ ଜରିଆରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଚିକିତ୍ସକମାନଙ୍କୁ ପରାମର୍ଶ ଦେଉଛନ୍ତି। ଏ ପ୍ରକାର ପରାମର୍ଶ ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Times of India

ମଙ୍ଗଳବାର ଓ ଶୁକ୍ରବାର ସପ୍ତାହରେ ଦୁଇଦିନ ଏହି ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଜି ଅପରାହ୍ନରୁ ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ମୁମ୍ବାଇରୁ ୯ ଏବଂ ଗୋଆରୁ ଗୋଟିଏ ହସ୍ପିଟାଲ ସହ ମୋଟ ୧୦ଟି ହସ୍ପିଟାଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ପାଇଁ ଏକାନ୍ତବାସ ଶଯ୍ୟା, ଅମ୍ଳଜାନ ସହାୟକ ଆଇସିୟୁ ଶଯ୍ୟା ଭଳି ଏସବୁ ହସ୍ପିଟାଲରେ ୧୦୦୦ ଶଯ୍ୟା ରହିଛି।

Business Standard

ଏହି ଟେଲି ପରାମର୍ଶ କାର୍ଯ୍ୟକ୍ରମକୁ ଦେଶର ଆଉ ୬୧ଟି ହସ୍ପିଟାଲକୁ ସମ୍ପ୍ରସାରିତ କରାଯିବ। ସପ୍ତାହକୁ ଦୁଇଥର ହେବାକୁ ଥିବା ଏହି ଅଧିବେଶନରେ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ଶଯ୍ୟା ଥିବା ହସ୍ପିଟାଲ ଭାଗ ନେବେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୧୭ଟି ରାଜ୍ୟ ଅଂଶଗ୍ରହଣ କରିବେ। ଯେଉଁ ରାଜ୍ୟଗୁଡ଼ିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା, ଦିଲ୍ଲୀ, ଗୁଜରାଟ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ର। ଆଇସିୟୁ ଦାୟିତ୍ୱରେ ଥିବା ଦୁଇଜଣ ଡାକ୍ତର ଓ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଭିଡିଓ କନଫରେନ୍‌ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର