ଶିରିଡ଼ି ସ୍ଥିତ ସାଇବାବା ମନ୍ଦିର ଟ୍ରଷ୍ଟ ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୪ଟି ସରକାରୀ ମେଡିକାଲ କଲେଜକୁ ଦେବ ୭୧ କୋଟିର ଆର୍ଥିକ ସହାୟତା

ଶିରିଡି (ମହାରାଷ୍ଟ୍ର): ଦେଶର ଗ୍ରାମୀଣ ଜନତାଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଶିରିଡ଼ି ସ୍ଥିତ ସାଇବାବା ମନ୍ଦିର ଟ୍ରଷ୍ଟ ୪ଟି ସରକାରୀ ମେଡିକାଲ କଲେଜକୁ ୭୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି। ୟଭତମଲ୍ଲ, ଚନ୍ଦ୍ରପୁର, ଔରଙ୍ଗାବାଦ ଓ ନାଗପୁରରେ ଥିବା ୪ଟି ସରକାରୀ ମେଡିକାଲ କଲେଜକୁ ୭୧ କୋଟିର ଏହି ଅନୁଦାନ ରାଶି ଯୋଗାଇ ଦିଆଯିବ। ୟଭତମଲ୍ଲ ମେଡିକାଲ କଳେଜକୁ ୧୩ କୋଟି, ନାଗପୁରର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜକୁ ୩୫.୩ କୋଟି, ଔରଙ୍ଗାବାଦ ମେଡିକାଲ କଲେଜକୁ ୧୫ କୋଟି ଓ ଚନ୍ଦ୍ରପୁର ମେଡ଼ିକାଲ କଲେଜକୁ ୭.୫ କୋଟିର ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଯୋଗା ଯିବାକୁ ଥିବା ଏହି ଅନୁଦାନ ରାଶିରେ ରୋଗ ପରୀକ୍ଷା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ପରି ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯିବ। ଯାହା ଫଳରେ ଗରିବ ରୋଗୀମାନେ ଅର୍ଥଭାବ କାରଣରୁ ଯେଉଁ ସବୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ ସମର୍ଥ ହେଉନାହାନ୍ତି ସେସବୁ ପରୀକ୍ଷା ଏବେ ସହଜରେ ହୋଇପାରିବ ବୋଲି ଶିରିଡ଼ି ସ୍ଥିତ ସାଇବାବା ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଶିରିଡ଼ି ସ୍ଥିତ ସାଇବାବା ମନ୍ଦିର ଟ୍ରଷ୍ଟର ଏବେ ୨,୧୦୦ କୋଟିର ସ୍ଥାୟୀ ଜମା ରହିଥିବା ବେଳେ, ମନ୍ଦିରର ବାର୍ଷିକ ଆୟ ୭୦୦ କୋଟି ଓ ଦୈନିକ ଆୟ ୨ କୋଟି ରହିଛି।

ସମ୍ବନ୍ଧିତ ଖବର