ଥାକ୍‌ରେଙ୍କୁ ଭେଟିବାରୁ ସୋନିଆ ମର୍ମାହତ ଥିଲେ

ନୂଆଦିଲ୍ଲୀ : ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶିବସେନା ମୁଖ୍ୟ ବାଲ୍‌ ଥାକ୍‌ରେଙ୍କୁ ନଭେଟିବା ଲାଗି ଉପା ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାରଣ କରିଥିଲେ। ମାତ୍ର ବିରୋଧୀ ଏନ୍‌ଡିଏର ସହଯୋଗୀ ଥାଇ ସୁଦ୍ଧା ଥାକ୍‌ରେ ତାଙ୍କ ପ୍ରାର୍ଥିତ୍ୱକୁ ଖୋଲାଖୋଲି ସମର୍ଥନ କରିଥିବାରୁ ପ୍ରଣବ ଥାକ୍‌ରେଙ୍କୁ ତାଙ୍କ ବାସଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ତେବେ ଏହା ସୋନିଆଙ୍କୁ ଭୀଷଣ ଭାବରେ ବ୍ୟଥିତ କରିଥିଲା ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘କୋଲିସନ୍‌ ଇୟର୍ସ:୧୯୯୬-୨୦୧୨’ ରେ ଲେଖିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ମୁମ୍ବାଇ ଗସ୍ତ ଅବସରରେ ପ୍ରଣବ ଭେଟିବାକୁ ଆସିବେ ବୋଲି ଥାକରେଙ୍କୁ ପାଓ୍ଵାର କଥା ଦେଇଥିଲେ। ଫଳରେ ଥାକରେ ମଧ୍ୟ ଭାବୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ। ଏଭଳି ସ୍ଥିତିରେ ଥାକରେଙ୍କୁ ପ୍ରଣବ ନଭେଟିଲେ ତାହା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଅପମାନ ହେବ ବୋଲି ପାଓ୍ଵାର କହିଥିଲେ। ତେବେ ଥାକରେଙ୍କୁ ଭେଟି ଦିଲ୍ଲୀ ଫେରିବା ପରେ ତାଙ୍କର ଏହି ସାକ୍ଷାତ ପାଇଁ ସୋନିଆ ଏବଂ ତାଙ୍କ ରାଜନୈତିକ ସଚିବ ଅହମଦ ପଟେଲ ଭୀଷଣ ଭାବେ ମର୍ମାହତ ହୋଇଥିବା କଥା ଗିରିଜା ବ୍ୟାସ ଜଣାଇଥିଲେ ବୋଲି ପ୍ରଣବ ତାଙ୍କ ପୁସ୍ତକରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର