ଉପହାର ନେଇ ‘ଡୋଲୋ ୬୫୦’ ଟାବଲେଟ୍ ଲେଖିଥିବା ଡାକ୍ତରଙ୍କ ତାଲିକା ମାଗିଲା ଏନଏମସି

ନୂଆଦିଲ୍ଲୀ:  ପାରାସିଟାମଲ୍ ବଟିକା ‘ଡୋଲୋ ୬୫୦’ ପ୍ରେସସ୍କ୍ରାଇବ୍ କରିଥିବା ଡାକ୍ତରଙ୍କ ତାଲିକା ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ଆୟକର ବିଭାଗକୁ ମାଗିଛି । ଏହି ବଟିକା ପ୍ରସ୍ତୁତ କରୁଥିବା ବେଙ୍ଗାଲୁରୁସ୍ଥିତ ମାଇକ୍ରୋ ଲ୍ୟାବରେ ଆୟକର ଚଢ଼ାଉ ପରେ ଜଣାପଡ଼ିଥିଲା କି କମ୍ପାନି ଡାକ୍ତରମାନଙ୍କୁ ପ୍ରଭାବିତ କରିବା ଲାଗି ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହା ଫଳରେ ବହୁଳ ଭାବେ ଏହି ବଟିକା ବିକ୍ରି ହୋଇଛି। ଆୟକର ବିଭାଗକୁ ଏନଏମସି ଏହି ସବୁ ଡାକ୍ତରଙ୍କ ସବିଶେଷ ତଥ୍ୟ ମାଗିଛି, ଯେଉଁମାନେ ଡୋଲୋ ୬୫୦ ଉତ୍ପାଦନ କରୁଥିବା ମାଇକ୍ରୋ ଲ୍ୟାବ ସମେତ ୬ଟି ଫାର୍ମାସ୍ୟୁଟିକାଲ କମ୍ପାନିରୁ ମାଗଣା ଉପହାର ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

ଆୟକର ବିଭାଗର ପ୍ରଶାସନିକ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ(ସିବିଡିଟି) ଜୁଲାଇରେ ବହୁଳ ଭାବରେ ବ୍ୟବହୃତ ଡୋଲୋ -୬୫୦ ଟ୍ୟାବଲେଟର ନିର୍ମାତାଙ୍କୁ ଅବୈଧ କାରବାରରେ ଲିପ୍ତ ରହିବା ଏବଂ ଏହାର ଉତ୍ପାଦକୁ ମେଡିକାଲ ପ୍ରଫେସନାଲ ଏବଂ ଡାକ୍ତରଙ୍କୁ ପ୍ରଭାବିତ କରିବା ଲାଗି ୧୦୦୦ କୋଟି ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା।

ଜୁଲାଇ ୬ରେ ବେଙ୍ଗାଲୁରୁସ୍ଥିତ ମାଇକ୍ରୋ ଲ୍ୟାବ ଲିମିଟେଡ୍ ବିରୋଧରେ ଆୟକର ବିଭାଗ ନଅଟି ରାଜ୍ୟରେ ୩୬ଟି ଠିକଣା ଉପରେ ଚଢାଉ କରିଥିଲା। ଏହାପରେ ଏନଏମସି ଅଗଷ୍ଟ ୩ରେ ଏକ ଚିଠି ଲେଖି ସିବିଡିଟି ଅଧ୍ୟକ୍ଷ ନିତିନ ଗୁପ୍ତାଙ୍କୁ ଅନୁରୋଧ କରିଥିଲା ଯେ ଏଥିରେ ସମ୍ପୃକ୍ତ ଡାକ୍ତରଙ୍କ ନାମ, ପଞ୍ଜୀକରଣ ନମ୍ବର ଏବଂ ଠିକଣା ଯୋଗାଇଦିଆଯାଉ। ଯାହା ଦ୍ବାରା ସୂଚନା ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ରାଜ୍ୟ ମେଡିକାଲ ପରିଷଦକୁ ପଠାଯାଇପାରିବ।

ଏନଏମସି ଏହି ଚିଠିରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ନିୟମାବଳୀ- ୨୦୦୨ର ଧାରା ୬.୮ର ଉଲ୍ଲଂଘନ ହୋଇଛି ବୋଲି ଉଳ୍ଲେଖ କରିଛି। ଏହି ଆଇନ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରେ ଏବଂ ଡାକ୍ତରଙ୍କ  ଆଚରଣବିଧି ସ୍ଥିର କରେ ।

ସମ୍ବନ୍ଧିତ ଖବର