ଆସାମ ଏନ୍‌ଆର୍‌ସି, ଚୂଡ଼ାନ୍ତ ତାଲିକା ଆଜି

ହାଇ ଆଲର୍ଟ, ବିଭିନ୍ନ ସ୍ଥାନରେ ଧାରା ୧୪୪ ଜାରି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏବେ ମୋଦୀ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି ଆସନ୍ତାକାଲି (ଶନିବାର) କାର୍ଯ୍ୟକାରୀ ହେବାକୁ ଯାଉଛି। ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରୁଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି)କୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ପ୍ରକାଶ କରାଯିବ। ଆସାମ ବାସିନ୍ଦା ଇଣ୍ଟରନେଟ୍‌ ମାଧ୍ୟମରେ ନିଜ ନାଗରିକତା ସ୍ଥିତି ଜାଣିପାରିବେ। ତେବେ କେତେକ ଗୋଷ୍ଠୀ ଏବେ ବିଭ୍ରାନ୍ତି ସୃଷ୍ଟି ପାଇଁ ପ୍ରୟାସ କରୁଥିବାରୁ ଏହା ଉପରେ ସତର୍କ ନଜର ରଖାଯାଇଛି। ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ ଦୃଷ୍ଟିରୁ ରାଜ୍ୟ ବ୍ୟପୀ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅନେକ ସମ୍ବେଦନଶୀଳ ଅଂଚଳରେ ଆଜି ୧୪୪ ଧାରା ଜାରି କରାଯାଇଛି। କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି। ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟର ମୂଳ ବାସିନ୍ଦାଙ୍କୁ ବେଆଇନ ବାଂଲାଦେଶୀ ନାଗରିକଙ୍କଠାରୁ ସୁରକ୍ଷା ଦେବା ଦିଗରେ ଏନ୍‌ଆର୍‌ସି ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଇଛି।

୪୧ ଲକ୍ଷ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
ଗତ ବର୍ଷ ପ୍ରକାଶ ପାଇଥିବା ଏନ୍‌ଆର୍‌ସିର ପ୍ରଥମ ତାଲିକାରେ ୪୧ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଥିଲା। ଏହି ୪୧ ଲକ୍ଷ ଲୋକଙ୍କ ମଧ୍ୟରୁ ଯେଉଁମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ ସେମାନଙ୍କ ସଂପର୍କରେ ଯାଞ୍ଚ ଶେଷ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ଏବଂ ଆସନ୍ତାକାଲି ତାଲିକା ପ୍ରକାଶ ପରେ ସ୍ଥିତି ସ୍ପଷ୍ଟ ହୋଇଯିବ। ତେବେ ଯେଉଁମାନଙ୍କର ନାମ ଚୂଡ଼ାନ୍ତ ତାଲିକାରେ ମଧ୍ୟ ନଥିବ ସେମାନଙ୍କୁ ମଧ୍ୟ ପୁଣି ଥରେ ନିଜ ନାଗରିକତାର ପ୍ରମାଣ ଦେବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିବା ଲୋକଙ୍କୁ ପୁଣି ଆବେଦନ କରିବା ପାଇଁ ୧୨୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯିବ। ଏଥିପାଇଁ ୧ ହଜାର ଟ୍ରିବ୍ୟୁନାଲ ଗଠନ କରାଯିବ। ଯେଉଁମାନେ ଟ୍ରିବ୍ୟୁନାଲରେ କେସ୍‌ ହାରିଯିବେ ସେମାନଙ୍କୁ ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟ ଯିବାକୁ ମଧ୍ୟ ସମୟ ମିଳିବ।

ସମ୍ବନ୍ଧିତ ଖବର