ନୂଆଦିଲ୍ଲୀ: ସଂସଦରେ ବିରୋଧୀଦଳଙ୍କ ହଟ୍ଟଗୋଳ ଓ ବିରୋଧ ପ୍ରଦର୍ଶନ ଫଳରେ ଆଜି ବି ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରି ନାହିଁ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ଆଜିକୁ ମିଶାଇ ଲଗାତାର ୧୩ ଦିନ ଧରି ଗୃହ ଅଚଳ ରହିଛି । ବିରୋଧ ପ୍ରଦର୍ଶନ ଓ ହଙ୍ଗାମା ମୂଳରେ ଏଆଇଏଡିମ୍କେ ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆର୍ଏସ୍)ଦଳ ଥିବାରୁ କେନ୍ଦ୍ର ସରକାର ଆଲୋଚନାରୁ ଏଡ଼ାଇଯିବାକୁ ଏହି ଷଡ଼ଯନ୍ତ୍ର କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ସେପଟେ ଆଜି ଚତୁର୍ଥ ଥର ପାଇଁ ଟିଡିପି ଏବଂ ଓ୍ଵାଇଆର୍ଏସ୍ କଂଗ୍ରେସ ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଆଲୋଚନା ହୋଇପାରିନାହିଁ। ଏହି ଘଟଣାରେ ମତବ୍ୟକ୍ତ କରି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ କହିଥିଲେ ଯେ, ସେ ଆଲୋଚନା ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରସ୍ତୁତ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହି ଅନୁମତି ଦେବା ସମ୍ଭବ ହୋଇପାରୁନାହିଁ।
ଆଜି ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଟିଡିପି ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ନେଇ ସ୍ଳୋଗାନ ଦେବାରୁ ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଗୃହକୁ ପୂର୍ବାହ୍ନ ୧୧ଟା ଯାଏଁ ମୁଲତବୀ କରିଥିଲେ। ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଇରାକ୍ରେ ୩୯ଜଣ ଭାରତୀୟଙ୍କ ହତ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା। କଂଗ୍ରେସର ଆଲୋଚନା ପ୍ରସ୍ତାବ ନୋଟିସ୍କୁ ଅଧ୍ୟକ୍ଷ ଗ୍ରହଣ କରିଥିବା ସତ୍ତ୍ୱେ ଗୃହରେ ପୁଣି ବିରୋଧୀଙ୍କ ପ୍ରଦର୍ଶନ ଆରମ୍ଭ ହେବାରୁ ସାରା ଦିନ ପାଇଁ ଗୃହକାର୍ଯ୍ୟକୁ ମୁଲତବୀ ରଖାଯାଇଥିଲା। ସେହିପରି ଲୋକସଭାରେ ମଧ୍ୟ ନାଟକୀୟ ଢଙ୍ଗରେ ଆଜି ମଧ୍ୟ ବିରୋଧୀଙ୍କ ପ୍ରଦର୍ଶନ ଜାରି ରହିଥିଲା। ଟିଡିପି ଓ ଓ୍ଵାଇଆର୍ଏସ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଆଗତ କରିଥିଲେ ମଧ୍ୟ ହଟ୍ଟଗୋଳ ଯୋଗୁଁ ମାମଲା ଆଗକୁ ବଢ଼ିପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/parlament.jpg)