ଆଜି ଆସିବ ତିନି ତଲାକ୍‌ ବିଲ୍‌: ଏନ୍‌ଡିଏର ସମସ୍ତ ସାଂସଦ ରହିବାକୁ ନର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି(୨୨ ତାରିଖ, ଶୁକ୍ରବାର) ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାର ଲୋକସଭାରେ ବିବାଦୀୟ ତିନି ତଲାକ୍‌ ବିଲ୍‌ ଆଗତ କରିବେ ବୋଲି ଜଣାଯାଇଛି। ଏହି ଅବସରରେ ବିଜେପି ସମେତ ଏହାର ଏନ୍‌ଡିଏ ସହଯୋଗୀ ଦଳର ସାଂସଦମାନେ ଗୃହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ସେହିପରି ମୁସ୍‌ଲିମ୍‌ ମହିଳାଙ୍କ ବିବାହ ସୁରକ୍ଷା ଆଇନ ଆସନ୍ତାକାଲି ଗୃହରେ ଆଗତ କରାଯିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ଲୋକସଭା େଓ୍ଵବ୍‌ସାଇଟ୍‌ରେ ରହିଥିବା କାର୍ଯ୍ୟସୂଚୀରେ ପୋଷ୍ଟ୍‍ କରି ଜଣାଇଛନ୍ତି।

ଉଲ୍ଲେଖ ଥାଉ କି, ଆଗତ ହେବାକୁ ଥିବା ଏହି ମୁସ୍‌ଲିମ୍‌ ମହିଳାଙ୍କ ବିବାହ ଅଧିକାର ଏବଂ ସୁରକ୍ଷା ଆଇନ-୨୦୧୭ ଅନୁସାରେ ତତ୍କାଳ ତିନି ତଲାକ ଦେବା ଏକ ଅପରାଧ ଏବଂ ଏହାକୁ ଘୋଷଣା କରିଥିବା ମହିଳାଙ୍କ ସ୍ୱାମୀଙ୍କୁ ଏଥି ପାଇଁ ତିନି ବର୍ଷ ଯାଏ ଜେଲ୍‌ ଭୋଗିବାର ବ୍ୟବସ୍ଥା ରହିଛି। ଏଥି ସହିତ ତିନି ତଲାକ୍‌ର ଶିକାର ହେଉଥିବା ମହିଳାଙ୍କ ଜୀବିକା ନିର୍ବାହ ପାଇଁ ଆଇନ ଉଲ୍ଲଂଘନକାରୀ ସ୍ୱାମୀଙ୍କ ଠାରୁ ମଧ୍ୟ ଭରଣପୋଷଣ ଅସୁଲ କରିବାକୁ କୁହାଯାଇଛି। ଗତ ୨୨ ତାରିଖରେ ସୁପ୍ରିମ୍‌କୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ତତ୍କାଳ ତ୍‌ିନି ତଲାକ୍‌କୁ ବେଆଇନ ଓ ନିଷିଦ୍ଧ ଘୋଷଣା କରିିଥିଲେ। ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚିଠା ଆଇନ ଅନୁସାରେ ମୌଖିକ, ଲିଖିତ ଅବା ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଓ ହ୍ଵାଟ୍‌ସ ଅପ୍‌ ପରି ଇଲେକ୍ଟ୍ରୋନିକ ମାଧ୍ୟମରେ ତତ୍କାଳ ତିନି ତଲାକ୍‌ ଘୋଷଣା କରିବା ବେଆଇନ। ତେବେ ଏହା ବିରୋଧରେ ଅନେକ ମୁସ୍‌ଲିମ୍‌ ସଂଗଠନ ସ୍ୱର ଉଠାଇଥିବା ବେଳେ ସରକାର ଏହି ଚିଠା ପ୍ରସ୍ତୁତି ବେଳେ କୌଣସି ସଂଗଠନ ସହ ଆଲୋଚନା କରାଯାଇନାହିଁ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଏହି ପ୍ରସ୍ତାବିତ ଆଇନ ମୁସଲିମ୍‌ ମହିଳାଙ୍କ ମର୍ଯ୍ୟାଦା ଓ ଆତ୍ମସମ୍ମାନକୁ ସୁରକ୍ଷିତ କରାଇବ ବୋଲି ଆଇନ ମନ୍ତ୍ରୀ ରବିଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର