କଂଗ୍ରେସର ନୂଆ ସଭାପତି ଚୟନ ନିଷ୍ପତ୍ତି ଆଜି

ମୁକୁଲ ୱାସ୍‌ନିକଙ୍କ ନାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: କଂଗ୍ରେସର ନୂତନ ସଭାପତି ଚୟନକୁ ନେଇ ଦୀର୍ଘ ଦିନ ଧରି ଅନିଶ୍ଚିତତା ଲାଗି ରହିଥିବା ବେଳେ ଆସନ୍ତାକାଲି ଏହାର ପରିସମାପ୍ତି ଘଟିବାକୁ ଯାଉଛି। କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ନୂଆ ସଭାପତି ଚୟନ କରାଯିବ। ମହାରାଷ୍ଟ୍ର କଂଗ୍ରେସ ନେତା ମୁକୁଲ ୱାସ୍‌ନିକଙ୍କ ନାମ ଏହି ପଦ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି । ମୁକୁଲ ଆଜି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ଗାନ୍ଧୀ ପରିବାରରୁ କେହି ସଭାପତି ହେବେନାହିଁ ବୋଲି ରାହୁଲ ସ୍ପଷ୍ଟ କରିଦେଇଥିବାରୁ ଦୀର୍ଘ ଦୁଇ ଦଶନ୍ଧି ପରେ ଏବେ ଗାନ୍ଧୀ ପରିବାର ବାହାରୁ କାହାକୁ କଂଗ୍ରେସ ସଭାପତି ପଦ ମିଳିବାକୁ ଯାଉଛି ।

ମହାରାଷ୍ଟ୍ରର ୫୯ ବର୍ଷୀୟ କଂଗ୍ରେସ ନେତା ମୁକୁଲ ୱାସ୍‌ନିକଙ୍କ ପିତା ବାଳକୃଷ୍ଣ ୱାସ୍‌ନିକ କଂଗ୍ରେସ ଟିକଟରେ ୩ ଥର ସାଂସଦ ନିର୍ବାଚିତ ହୋଇଥିଲେ। ମୁକୁଲ ମଧ୍ୟ ୪ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ସେ କେନ୍ଦ୍ରରେ ସାମାଜିକ ନ୍ୟୟ ମନ୍ତ୍ରୀ ମଧ୍ୟ ରହିଥିଲେ। ଆଜି ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ବରିଷ୍ଠ ନେତା ଏ.କେ. ଆଣ୍ଟୋନି, ଅହମ୍ମଦ ପଟେଲ ଏବଂ କେଭି ବେଣୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ। ଧାରା ୩୭୦ ହଟାଯିବା ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ମିଲିନ୍ଦ ଦେଓରା, କରଣ ସିଂହ, ଜନାର୍ଦ୍ଦନ ଦ୍ବିବେଦୀ ପ୍ରମୁଖ ଖୋଲାଖୋଲି ସମର୍ଥନ କରିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ନୂତନ ସଭାପତି ଚୟନରେ ଆଉ ଅଧିକ ବିଳମ୍ବ ନ କରିବାକୁ ଆଜି ସୋନିଆଙ୍କୁ ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର