ନୂଆଦିଲ୍ଲୀ: ବାରଣାସୀ ଲୋକସଭା ଆସନରେ ମହାମେଣ୍ଟ ପ୍ରାର୍ଥୀ ହୋଇଥିବା ବହିଷ୍କୃତ ବିଏସ୍ଏଫ୍ ଯବାନ ତେଜ ବାହାଦୁରଙ୍କ ପ୍ରାର୍ଥିପତ୍ର ରଦ୍ଦ ମାମଲାରେ ଆସନ୍ତାକାଲି ସୁପ୍ରିମ୍ କୋର୍ଟରେ ଶୁଣାଣି ହେବ। ଏହି ମାମଲାରେ ୨୪ ଘଣ୍ଟା ମଧ୍ୟରେ ଜବାବ ରଖିବା ପାଇଁ ଅଦାଲତ ନିର୍ବାଚନ କମିସନଙ୍କୁ ନୋଟିସ୍ କରିଛନ୍ତି। ନିର୍ବାଚନ କମିସନ ଏହି ମାମଲାରେ ତେଜ ବାହାଦୁରଙ୍କ ଯୁକ୍ତିକୁ ଶୁଣିବା ସହ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅଦାଲତ କହିଛନ୍ତି। ତେଜ ବାହାଦୁର ବାରଣାସୀ ଆସନ ପାଇଁ ଦୁଇ ଥର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଏଥିରେ ବିସଙ୍ଗତି ରହିଥିବା ଏବଂ ସେ ସେନାରୁ ବହିଷ୍କୃତ ହୋଇଥିବାରୁ ଏ ବାବଦରେ ବିଏସ୍ଏଫ୍ଠାରୁ ଆବଶ୍ୟକ ପ୍ରମାଣପତ୍ର ଆଣିବା ପାଇଁ ତାଙ୍କୁ କୁହାଯାଇଥିଲା। ତେଜ ବାହାଦୁର ପ୍ରମାଣପତ୍ର ଉପସ୍ଥାପନ କରିବା ସତ୍ତ୍ବେ ମଧ୍ୟ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ ସେ ଏହାକୁ ବିରୋଧ କରି ଗତକାଲି ସୁପ୍ରିମ୍ କୋର୍ଟରେ ମାମଲା ରୁଜୁ କରିଥିଲେ। ୨୦୧୭ରେ ତେଜ ବାହାଦୁର ସେନାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣି କେତେକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କୁ ବହିଷ୍କାର କରାଯାଇଥିଲା।
ତେଜ ବାହାଦୁର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ସୁପ୍ରିମ୍ କୋର୍ଟରେ ଆବେଦନ ଦାଖଲ କରିଥିଲେ। ବାରଣାସୀ ଆସନରେ ୧୯ ମେ’ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତେଜ ବାହାଦୁର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହୁଥିବାର ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ତେଜ ବାହାଦୁର କହିଛନ୍ତି ଯେ ଭିଡିଓରେ ଯାହା ଶୁଣାଯାଉଛି ତାହା ତାଙ୍କର ସ୍ବର ନୁହେଁ। ତାଙ୍କୁ ପ୍ରାର୍ଥୀ କରାଇ ନଦେବା ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ କହିଛନ୍ତି।
ଆଜି ଶୁଣାଣି, ଇସିଙ୍କୁ ନୋଟିସ୍
ସୁପ୍ରିମ୍କୋର୍ଟରେ ତେଜ ବାହାଦୁରଙ୍କ ପ୍ରାର୍ଥିପତ୍ର ରଦ୍ଦ ମାମଲା
/sambad/media/post_attachments/wp-content/uploads/2019/05/tej-bahadur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)