ଭାରତ ମୁତୟନ କଲା ‘ଘାତକ’ କମାଣ୍ଡୋ, ଚୀନ୍‌ର ମାର୍ସଲ୍‌ ଆର୍ଟ ନିପୁଣ ପ୍ରଶିକ୍ଷକଙ୍କୁ ମୁକାବିଲା କରିବେ

ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ଆଜି

ବେଜିଂ: ପୂର୍ବ ଲଦାଖ୍‌ର ଗଲୱାନ୍‌ ଘାଟିରେ ଭାରତ -ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ଉପୁଜିବାପରଠାରୁ ସ୍ଥିତି ଉଦ୍‌ବେଗଜନକ ରହିଛି। ଅନେକ ଉଚ୍ଚସ୍ତରୀୟ ବୈଠକ ଏବଂ ଆଲୋଚନା ‌ହୋଇଥିଲେ ସୁଦ୍ଧା ଏହାର କିଛି ସୁଫଳ ମିଳିନି। ଏଲ୍‌ଏସିରେ ଯୁଦ୍ଧଭଳି ସ୍ଥିତି ଲାଗି ରହିଥିବାବେଳେ ଚୀନ୍‌ର ପିଏଲ୍‌ଏ ଏହାର ସାମରିକ ଅଧିକାରୀମାନଙ୍କୁ ତାଲିମ ଦେବାପାଇଁ ମାର୍ସଲ୍‌ ଆର୍ଟ (ସାମରିକ କଳା)ରେ ନିପୁଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଚୀନ୍‌ ପ୍ରାୟ ୨୦ ମାର୍ସଲ୍‌ ଆର୍ଟରେ ନିପୁଣ ପ୍ରଶିକ୍ଷକଙ୍କୁ ତିବ୍ଦତକୁ ପଠାଇଛି। କିନ୍ତୁ ଭାରତୀୟ ସେନା ଚୀନ୍‌ ସେନା ପକ୍ଷରୁ ଆସନ୍ନ ଯେକୌଣସି ପ୍ରକାର ଆକ୍ରମଣର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି। ଲଦାଖ୍‌ରେ ଚୀନ୍‌ର ମାର୍ସଲ୍‌ ଆର୍ଟ ପ୍ରଶିକ୍ଷକଙ୍କୁ ମୁକାବିଲା କରିବା ପାଇଁ ଭାରତ ସେନା ‘ଘାତକ’ କମାଣ୍ଡୋଙ୍କୁ ମୁତୟନ କରିଛି। ଜଣେ ସେନା ଅଧିକାରୀ କହିଛନ୍ତି, ଘାତକ କମ‌ାଣ୍ଡୋ‌ କର୍ଣ୍ଣାଟକର ବେଲଗାଓଁରେ ୪୩ ଦିନିଆ ସ୍ବତନ୍ତ୍ର ତାଲିମ ନେଇଛନ୍ତି। ଏହି ତାଲିମ ସମୟରେ ଜ‌ଣେ ଜଣେ କମାଣ୍ଡୋଙ୍କୁ ୩୫ କିଲୋ ଓଜନର ଜିନିଷ ଧରି ଲଗାତାର ୪୦ କିମି ବାଟ ଦୌଡ଼ି‌ବାକୁ ପଡ଼ିଥାଏ। ଏହା ସେମାନଙ୍କୁ ଶାରୀରିକ ଭାବେ ଅତ୍ୟନ୍ତ ସୁଦୃଢ଼ କରିଥାଏ।

ଫଳରେ ଜଣେ ଘାତକ କମାଣ୍ଡୋ ପ୍ରତିକୂଳ ପରିସ୍ଥିତିରେ ଅନ୍ୟ କାହା ସହଯୋଗରେ ମଧ୍ୟ ଶତ୍ରୁ ପକ୍ଷଙ୍କୁ ଏକାକୀ ମୁକାବିଲା କରିବା ସାମର୍ଥ୍ୟ ରଖିଥାନ୍ତି। ଅସ୍ତ୍ର ଚଳାଇବାର ତାଲିମ ନେବା ସହ ସେମାନେ ମଧ୍ୟ ମୁଷ୍ଟିଯୁଦ୍ଧ ଏବଂ ମାର୍ସଲ୍‌ ଆର୍ଟ‌୍‌ରେ ନିପୁଣ ହୋଇଥାନ୍ତି। ଘାତକ କମା‌ଣ୍ଡୋମାନେ ଶତ୍ରୁ ପକ୍ଷଙ୍କ ଉପରେ ତଥା ସେମାନଙ୍କ ସାମରିକ ଯୁଦ୍ଧାସ୍ତ୍ର ଉପରେ ସିଧାସଳଖ ଆକ୍ରମଣ କରିପାରିବେ। ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରି ଶତ୍ରୁପକ୍ଷକୁ କଡ଼ା ଜବାଦ ଦେବା ସହିତ ଅତି ନିକଟରୁ ଯୁଦ୍ଧ କରିବା ତାଲିମ ‌ସେମାନଙ୍କୁ ପ୍ରଦାନ କରାଯାଇଛି। ଏକ ଘାତକ ପ୍ଲାଟୁନ୍‌ରେ ୨୦ ଜଣ ଟାଣୁଆ ଘାତକ ସୈନ୍ୟ ରହିଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡୋ କ୍ୟାପଟେନ୍‌, ୨ ଜଣ ଅଫିସର ଏବଂ କିଛି ସ୍ପେସାଲ୍‌ ଟିମ୍‌ ରହିଥାନ୍ତି।

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଦେଖାଦେଇଥିବା ଉତ୍ତେଜନା ଜାରି ରହିଥିଲେ ମଧ୍ୟ ଦୁଇ ଦେଶ ପୁଣିଥରେ ଆସନ୍ତାକାଲି ଆଲୋଚନାକୁ ଓହ୍ଲାଇଛନ୍ତି। ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲସ୍ତରୀୟ ବୈଠକ ଆସନ୍ତାକାଲି (ମଙ୍ଗଳବାର) ଲଦାଖର ଚୁସୁଲଠାରେ ହେବ। ସୀମାରେ ଗତମାସରୁ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ସହିତ ସୀମାରେ ସୈନ୍ୟ ଠୁଳକୁ କମାଇବା ଉକ୍ତ ବୈଠକରେ ଆଲୋଚନାର ପ୍ରମୁଖ ବିଷୟବସ୍ତୁ ରହିବ ବୋଲି କୁହାଯାଉଛି।

ଆସନ୍ତାକାଲିକୁ ମିଶାଇ ୩ ଥର ବୈଠକ ହେବାକୁ ‌ଯାଉଛି। ଦୁଇ ଦେଶର ବରିଷ୍ଠ ସାମରିକ ଅଧିକାରୀ ସ୍ତରରେ ଗଲୱାନ୍ ସଂଘର୍ଷ ପୂର୍ବରୁ ଜୁନ୍ ୬ରେ ପ୍ରଥମ ଏବଂ ସଂଘର୍ଷ ପରେ ଜୁନ୍ ୨୨ରେ ଦ୍ବିତୀୟ ବୈଠକ ହୋଇସାରିଛି। ଗଲୱାନ ସଂଘର୍ଷର ଠିକ୍ ସପ୍ତାହେ ପରେ ଗତ ୨୨ ତାରିଖରେ ହୋଇଥିବା ବୈଠକରେ ଭାରତ ପକ୍ଷରୁ ଲେହସ୍ଥିତ ୧୪ କର୍ପସର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଏବଂ ଦକ୍ଷିଣ ଜିନଜିଆଙ୍ଗ ସାମରିକ କ୍ଷେତ୍ରର କମାଣ୍ଡର ତଥା ମେଜର ଜେନେରାଲ ଲିୟୁ ଲିନ୍‌ଙ୍କ ମଧ୍ୟରେ ଏକ ସହମତି ପ୍ରକାଶ ପାଇଥିଲା। ଦୁଇ ଦେଶର ସେନା ଏଲଏସିରେ ସଂଘର୍ଷରୁ ବିରତ ରହିବେ ବୋଲି ଏଥିରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚୀନ ଗଲୱାନ ଘାଟି, ପାଙ୍ଗଙ୍ଗ ସୋ ନିକଟ ଫିଙ୍ଗର ଏରିଆ ଓ ଡିପସାଙ୍ଗ ପ୍ଲେନ୍‌‌ରେ ଏହାର ସାମରିକ କାର୍ଯ୍ୟକଳାପକୁ ବନ୍ଦ କରିନାହିଁ। ଏଭଳି ସ୍ଥିତିରେ ଆସନ୍ତାକାଲିର ବୈଠକରେ‌ ଭାରତ ପକ୍ଷରୁ ଚୀନ ସେନା ପ୍ରତ୍ୟାହର ସହ ପୂର୍ବାବସ୍ଥା ବଜାୟ ରଖିବା ପାଇଁ ଦାବି କରାଯିବାର ଆଶା କରାଯାଉଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ରେ ଉକ୍ତ ବୈଠକ ଆରମ୍ଭ ହେବ ବୋଲି ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି। ପୂର୍ବରୁ ଦୁଇଟିଯାକ କମାଣ୍ଡରସ୍ତରୀୟ ବୈଠକ ଚୀନର ମୋଲଡୋଠାରେ ହୋଇଥିବାବେଳେ ଆସନ୍ତାକାଲିର ବୈ୦କ ଭାରତ ପଟେ ହେବ।

ସମ୍ବନ୍ଧିତ ଖବର