କାଟୁ କରିବନି ଆମେରିକା ଧମକ, ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବ ଭାରତ

ଆଜି ଭାରତ-ରୁଷ ଦ୍ବିପାକ୍ଷିକ ସମ୍ମିଳନୀ

ନୂଆଦିଲ୍ଲୀ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ଦୁଇଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଦ୍ବାରା ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଏକ ନୂଆ ଶକ୍ତି ମିଳିବ ବୋଲି ଆଶା କରାଯାଉଛି। ଭାରତ ରୁଷ୍‌ଠାରୁ ଏସ୍‌-୪୦୦ ବ‌ାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର କିଣିବାକୁ ବହୁ ପୂର୍ବରୁ ଯୋଜନା କରିଥିବା ବେଳେ ପୁଟିନ୍‌ଙ୍କ ଏହି ଗସ୍ତରେ ହିଁ ତାହା ବାସ୍ତବ ରୂପ ନେବ ବୋଲି ଆଶା କରାଯାଉଛି। ଖାଲି ସେତିକି ନୁ‌େହଁ, ପୁଟିନ୍‌ଙ୍କ ଏହି ଗସ୍ତ ଦ୍ବାରା ଭାରତ ଓ ରୁଷ ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସଂପର୍କ ସୁଦୃଢ଼ ହେବ ବୋଲି ମଧ୍ୟ ଆଶା। କିନ୍ତୁ ଦୁଇଦେଶର ଏହି ଘନିଷ୍ଠତାକୁ ନେଇ ଆମେରିକା ଖପ୍ପା ହୋଇଛି। ଏମିତି କି ରୁଷଠାରୁ କୌଣସି ଯୁଦ୍ଧାସ୍ତ୍ର କିଣିଲେ ଏହା ଆମେରିକାଠାରୁ କୌଣସି ରିହ‌ାତି ପାଇବ ନାହିଁ ବୋଲି ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଧମକ ଦିଆଯାଇଛି। ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଯଦିଓ ଆମେରିକା ପୂର୍ବରୁ ଏଥିପାଇଁ ତାଗିଦ୍ କରିଥିଲା, ଆଜି ଭାରତକୁ ଲକ୍ଷ୍ୟ କରି ପୁଣି ଏହାକୁ ଦୋହରାଇଛି। କିନ୍ତୁ ଆମେରିକାର ଏହି ଧମକକୁ ଭାରତ ଡରିବ ନାହିଁ ବୋଲି କହିଦେଇଛି।

ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ ଲକ୍ଷ୍ୟ
ଅତିଷ୍ଠ କଲେଣି ପଡ଼ୋଶୀ ଶତ୍ରୁ
ସୀମାରେ ହିଂସା ଘଟାଉଛି ପାକ୍
ଦିଲ୍ଲୀଠୁ ସ୍ବଳ୍ପ ଦୂରରେ ବଙ୍କର କରିଛି ଚୀନ୍

ଭାରତ ଏବେ ଏହାର ପଡ଼ୋଶୀ ଶତ୍ରୁ ରାଷ୍ଟ୍ରଗୁଡ଼ିକର କାରନାମାକୁ ନେଇ ବେଶ୍ ଚିନ୍ତିତ। ପାକିସ୍ତାନ ଓ ଚୀନ୍ ନିୟମିତ ଭାବେ ଭାରତ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛନ୍ତି। ଭାରତ ସଂଲଗ୍ନ ସୀମା ଅଞ୍ଚଳରେ ପାକିସ୍ତାନ ସବୁବେଳେ ହିଂସାକାଣ୍ଡ ଘଟାଇ ଚାଲିଛି। ଏମିତି କି ଆତଙ୍କବାଦୀମାନଙ୍କୁ ତାଲିମ ଦେଇ ବିଶେଷକରି ଜମ୍ମୁ କଶ୍ମୀରରେ ଭୟଙ୍କର ଆକ୍ରମଣ ଘଟାଉଛି ପାକ୍। ଆତଙ୍କବାଦୀମାନେ ଲୁଚିଛପି ଆକ୍ରମଣ ଘଟାଇ ଭାରତୀୟ ଯବାନଙ୍କୁ ହତ୍ୟା କରୁଛନ୍ତି। ନିକଟରେ ପାକିସ୍ତାନର ଏକ ହେଲିକପ୍ଟର ସବୁ ସୀମା ସରହଦ ଡେଇଁ ଭାରତର ବାୟୁସୀମା ମଧ୍ୟରେ ପଶିଆସିଥିଲା। ସମ୍ଭବତଃ ଭାରତୀୟ ସେନାମାନଙ୍କର ଗତିବିଧିକୁ ଲକ୍ଷ୍ୟ କରି ପରବର୍ତ୍ତୀ ସମୟରେ ଆକ୍ରମଣ ଘଟାଇବା ଏହାର ଉଦ୍ଦେଶ୍ୟ ଥାଇପାରେ। ସେପଟେ ଚୀନ୍ ମଧ୍ୟ ତା’ର କାରନାମା ଜାରି ରଖିଛି। ଚୀନ୍‌ ଏବେ ପୁଣି ଥରେ ଭାରତକୁ ଚାପରେ ରଖିବା ପାଇଁ ଚାଲ୍‌ ଖେଳିଛି। ତିବ୍ବତ ସ୍ବତନ୍ତ୍ର ‌ଅଂଚଳରେ ଚୀନ୍‌ ଲାସା ସ୍ଥିତ ଗୋଙ୍ଗର ବିମାନ ବନ୍ଦରରେ ନିଜ ସୈନିକଙ୍କ ପାଇଁ ଅଣ୍ଡରଗ୍ରାଉଣ୍ଡ୍‌ ବୋମା ନିରୋଧୀ ବଙ୍କର ନିର୍ମାଣ କରିଥିବା ଜଣାପଡ଼ିଛି। ଚୀନ୍‌ ସେନା ଦିଲ୍ଲୀଠାରୁ ମାତ୍ର ୧୩୫୦ କିମି ଦୂରରେ ଏଭଳି ବଙ୍କର ନିର୍ମାଣ କରିବା ଭାରତ ପାଇଁ ଉଦ୍‌ବେଗର କାରଣ ସାଜିଛି। ଚୀନ୍‌ ପ୍ରଥମେ ଏହି ବିମାନ ବନ୍ଦରକୁ ଆଂଚଳିକ ସଂପର୍କ ବଢ଼ାଇବା ଉଦ୍ଦେଶ୍ୟରେ କରୁଥିବା ବେଳେ ଏବେ ଏହାକୁ ସଂପୂର୍ଣ୍ଣ ସେନା ଛାଉଣୀରେ ପରିଣତ କରିଛି। ସେଠାରେ ଏବେ ଚୀନ୍‌ ୩୬ଟି ଯୁଦ୍ଧ ବିମାନ ମୁତୟନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେଣୁ ଆମେରିକାର ଧମକ ଆଉ କାଟୁ କରିବ ନାହିଁ। ପୂର୍ବରୁ ମଧ୍ୟ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏ ନେଇ ସ୍ପଷ୍ଟ କରିସାରିଛନ୍ତି। ନିକଟରେ ସେ କହିଥିଲେ, ଆମେରିକା କଟକଣା ଲାଗୁ କରିବାକୁ ଧମକ ଦେଲେ ମଧ୍ୟ ଆମେ ପଛକୁ ହଟିବୁ ନା‌ହିଁ। ରୁଷଠାରୁ ଯେମିତି ବି ହେଲେ ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ କରିବୁ। ତେଣୁ ପୁଟିନ୍‌ଙ୍କ ଏହି ଗସ୍ତ ସମୟରେ ଭାରତ ୫ ବିଲିୟନ୍ ଡଲାର‌େର ଏସ୍‌-୪୦୦ ମିସାଇଲ୍ ବ୍ୟବସ୍ଥା କିଣିବା ପାଇଁ ଚୁକ୍ତି କରିବ। ଆସନ୍ତାକାଲି ୧୯ତମ ଭାରତ-ରୁଷ୍‌ ଦ୍ବିପାକ୍ଷିକ ସମ୍ମିଳନୀରେ ଚୁକ୍ତି ହେବ ବୋଲି ଆଶା କରାଯାଉଛି। ପୁଟିନ୍‌ଙ୍କ ଗସ୍ତ ପୂର୍ବରୁ ଆମେରିକା ଏ ନେଇ ଚେତାବନୀ ଦେଇସାରିଛି। ଟ୍ରମ୍ପ୍ ପ୍ରଶାସନର ଜଣେ ଅଧିକାରୀ ଗତକାଲି କହିଥିଲେ ଯେ ରୁଷ୍‌ର ଏସ୍‌-୪୦୦ ପ୍ରତିରକ୍ଷା ମିସାଇଲ୍ ବ୍ୟବସ୍ଥା ଆମେରିକାର କଟକଣା ବଳୟରେ ରହିଛି। ତେଣୁ ଏହାକୁ ଯେଉଁ ରାଷ୍ଟ୍ର କିଣିବାକୁ ଚାହିବ, ତାହା ଉପରେ କଟକଣା ଲାଗୁ କରାଯିବ। ସଂପୃକ୍ତ ରାଷ୍ଟ୍ରକୁ ଯେଉଁ ରିହାତି ମିଳୁଥିଲା, ତାହା ଆଉ ମିଳିବା ଅସମ୍ଭବ ହେବ। ଅନ୍ୟପକ୍ଷରେ ରୁଷ୍‌ ଓ ଭାରତର ଏହି ଦ୍ବିପାକ୍ଷିକ ପ୍ରତିରକ୍ଷା କଥାବାର୍ତ୍ତାକୁ ନେଇ କେବଳ ଆମେରିକା ଅସନ୍ତୁଷ୍ଟ ନାହିଁ। ପାକିସ୍ତାନ ଓ ଚୀନ୍ ମଧ୍ୟ ଏହାକୁ ନେଇ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି। ଭାରତର ପ୍ରତିରକ୍ଷା କ୍ଷେତ୍ର ସୁଦୃଢ଼ ହେବା ଦ୍ବାରା ଏହା ଉପରେ ଅଙ୍ଗୁଳି ଉଠାଇବା ମୁସ୍କିଲ୍ ହୋଇପଡ଼ିବ। ନିୟମିତ ଭାବେ ସେମାନେ ଯେଉଁ ମନମୁଖି ଚଳାଉଛନ୍ତି, ତାହା କମିଯିବ ବୋଲି ସେମାନେ ଭାବୁଛନ୍ତି। ରୁଷଠାରୁ ଯୁଦ୍ଧାସ୍ତ୍ର କିଣୁଥିବା ରାଷ୍ଟ୍ରଗୁଡ଼ିକ ଉପରେ କଟକଣା ଲାଗୁ କରିବା ପାଇଁ ଆମେରିକା ନୂଆକରି କାଟ୍‌ସା ଆଇନ ଲାଗୁ କରିଛି। ଆମେରିକା ସହିତ ଦ୍ବିପାକ୍ଷିକ କାରବାର କରି ବିଭିନ୍ନ ରିହାତି ପାଉଥିବା ରାଷ୍ଟ୍ରଗୁଡ଼ିକ ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର