ଆଜି ମହାନଦୀ ଜଳବିବାଦ ମାମଲାର ୩୦ତମ ଶୁଣାଣି

ନୂଆଦିଲ୍ଲୀ : ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି କରିବେ। ଏହି ଶୁଣାଣି ଭର୍ଚୁଆଲ୍‌ ମୋଡ୍‌ରେ ହେବ। ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ‘ଫିଜିକାଲ୍‌’ ଶୁଣାଣି ସ୍ଥାନରେ ‘ଭର୍ଚୁଆଲ୍‌’ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିଲେ। ଗତ ମାସ ୧୮ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ ନଥିପତ୍ର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯୋଗାଇ ଦେବାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ବାରା କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ନୋଟିସ ଜାରି କରାଯାଇଥିଲା। ଏହାର ଉତ୍ତର ଦେଇ ମନ୍ତ୍ରାଳୟ କହିଛନ୍ତି, ବନ୍ୟା ସଂପର୍କିତ ନଥିପତ୍ର ଯୋଗାଇ ଦେବାର ନୋଡାଲ୍‌ ଏଜେନ୍‌ସି ହେଉଛି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ। ଟ୍ରିବ୍ୟୁନାଲଙ୍କ ଦ୍ବାରା ଲୋଡ଼ାଯାଉଥିବା ତଥ୍ୟ ଉପରେ ଏନ୍‌ଡିଏମ୍‌ଏର କୌଣସି ଭୂମିକା ନାହିଁ।

ଅପରପକ୍ଷେ, ଶୁଣାଣିର ଦିନକ ପୂର୍ବରୁ ଆଜି ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲରେ ଦୁଇଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଗୋଟିଏ ଆବେଦନରେ ମଧ୍ୟପ୍ରଦେଶ ସୂଚନା ଯୋଗାଇଦେବା ପାଇଁ ଓ ଅନ୍ୟଟିରେ କେନ୍ଦ୍ରୀୟ ସଂସ୍ଥା କେନ୍ଦ୍ରୀୟ ଜଳ ଆୟୋଗ, ନୀତି ଆୟୋଗ, ସେଣ୍ଟ୍ରାଲ୍‌ ୱାଟର୍‌ ଆଣ୍ଡ୍‌ ପାୱାର ରିସର୍ଚ ଷ୍ଟେସନ ଓ ନାସନାଲ୍‌ ୱାଟର୍‌ ଇନଫରମେଟିକ୍‌ସ ସେଣ୍ଟର ନିକଟରୁ ଦସ୍ତାବିଜ୍‌ ହାସଲ କରିବା ପାଇଁ ଟ୍ରିବ୍ୟୁନାଲ ଆଦେଶ ଜାରି କରନ୍ତୁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସଂପୂର୍ଣ୍ଣ ସାକ୍ଷୀଙ୍କ ସତ୍ୟପାଠ ଦାଖଲ କରିପାରି ନାହାନ୍ତି। ଉଭୟ ରାଜ୍ୟରୁ ମୋଟ ୧୦ ଜଣ ସାକ୍ଷୀଙ୍କ ସତ୍ୟପାଠ ଏବେ ବି ଟ୍ରିବ୍ୟୁନାଲରେ ଦାଖଲ ହେବାକୁ ବାକି ଅଛି।

ସମ୍ବନ୍ଧିତ ଖବର