ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ, ମହାମେଣ୍ଟ-ଏନ୍‌ଡିଏ କଡ଼ା ଟକ୍କର

୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଲଢ଼େଇ, ୬ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି(ବୁଧବାର) ୭୧ ଆସନ‌ରେ ଭୋଟ୍‌ ଗ୍ରହଣ ହେବ। ଗତକାଲିଠାରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଶେଷ ହୋଇସାରିଛି। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକାଧିକ ସ୍ଥାନରେ ରୢାଲି କରିଛନ୍ତି। ନିର୍ବାଚନ କମିସନ୍‌ କହିଛନ୍ତି, ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ। କିନ୍ତୁ ମାଓ ଉପଦ୍ରବ ଅଞ୍ଚଳରେ ଆଗୁଆ ଭୋଟଗ୍ରହଣ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ହେଉଥିବା ନିର୍ବାଚନରେ କଂଗ୍ରେସ, ଜେଡିୟୁ ଓ ସିପିଆଇଏମଏଲ ଗଠନ କରିଥିବା ମ‌ହାମେଣ୍ଟ ଏବଂ ଏନଡିଏ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ୭୧ଟି ଆସନରୁ ମହାମେଣ୍ଟ ପକ୍ଷରୁ ଆରଜେଡି ୪୨ଟି, କଂଗ୍ରେସ ୨୧ଟି, ସିପିଆଇ(ଏମଏଲ) ୮ଟି ସ୍ଥାନରେ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପକ୍ଷରେ ଏନଡିଏ ପକ୍ଷରୁ ବିଜେପି ୨୯ଟି, ଜେଡିୟୁ ୩୫ଟି, ଏଚଏଏମ ୬ଟି ଓ ଭିଆଇପି ଗୋଟିଏ ଆସନରେ ଲଢ଼ୁଛି। ଏତଦବ୍ୟତୀତ ଏଲଜେପି ୪୨ଟି, ଆରଏଲଏସପି ୪୩ଟି ଏବଂ ବିଏସପି ୨୭ଟି ଆସନରେ ପାର୍ଥୀ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ମଇଦାନକୁ ୧୦୬୬ ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ୧୧୪ ଜଣ ମହିଳା ଅଛନ୍ତି। ଆସନ୍ତାକାଲିର ନିର୍ବାଚନରେ ନୀତୀଶ କ୍ୟାବିନେଟ୍‌ର ପ୍ରାୟ ୬ ଜଣ ମନ୍ତ୍ରୀ ତଥା କୃଷ୍ଣନନ୍ଦନ ବର୍ମା, ପ୍ରେମ କୁମାର, ଜୟ କୁମାର ସିଂହ, ସ‌ନ୍ତୋଷ କୁମାର ନିରଳା, ବିଜୟ ସିହ୍ନା ଏବଂ ରାମ ନାରାୟଣ ମଣ୍ଡଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କରୋନା ମହାମାରୀ ମଧ୍ୟରେ ଏହା ଦେଶରେ ପ୍ରଥମ ନିର୍ବାଚନ। ଏଥିପାଇଁ କଡ଼ା ସତର୍କତା ଅବଲମ୍ବନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। କମିସନ୍‌ କହିଛନ୍ତି ବିହାର ନିର୍ବାଚନ ପାଇଁ ୭ ଲକ୍ଷ ହାଣ୍ଡ୍‌ ସାନିଟାଇଜର, ୪୬ ଲକ୍ଷ ମାସ୍କ, ୬ ଲକ୍ଷ ପିପିଇ କିଟ୍‌, ୬.୭ ଲକ୍ଷ ଫେସ୍‌ ମାସ୍କ ଏବଂ ୨୩ ଲକ୍ଷ ହଳ ହ୍ୟାଣ୍ଡ୍‌ ଗ୍ଲୋଭ୍‌ ପ୍ରସ୍ତୁତ କରାଯାଇଛି। ଏହ‌ାବାଦ୍‌ ଆବଶ୍ୟକ ସ୍ଥଳେ ପୋଷ୍ଟାଲ୍‌ ବାଲଟ୍‌ ସୁବିଧା ମଧ୍ୟ ପ୍ରଦାନ କରାଯିବ। କରୋନା ରୋଗୀମାନେ ଦିନର ଶେଷ ସମୟ ବେଳକୁ ଭୋଟ୍‌ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା କହିଛନ୍ତି। ସେହିପରି କୋଭିଡ୍‌ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଟକଲ୍‌ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୫୨ ହଜାରରୁ ଅଧିକ ଭୋଟର ତଥା ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ଭୋଟ୍‌ ଦେବାପାଇଁ ଚାହିଛନ୍ତି।

ସମ୍ବନ୍ଧିତ ଖବର