ମଧ୍ୟପ୍ରଦେଶ ସଂକଟ ଜଟିଳ, ଆଜି ହେବ ଶୁଣାଣି

କମଲନାଥ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ୨୪ ଘଣ୍ଟିଆ ନୋଟିସ, କଂଗ୍ରେସ ବି ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୈତିକ ସଂକଟ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। କମଲନାଥ ସରକାର ବିଧାନସଭାରେ ତୁରନ୍ତ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ଦାବି‌ରେ ଗତକାଲି ବିଜେପି ସୁପ୍ରିମ୍‌ ‌କୋର୍ଟ ଯାଇଥିବାବେଳେ ନିଜ ବିଧାୟକଙ୍କୁ ତୁରନ୍ତ ମୁକ୍ତି କରିବା ପାଇଁ ଆଜି କଂଗ୍ରେସ ମଧ୍ୟ ସୁପ୍ରିମ୍‌ କୋର୍ଟ ଯାଇଛି। ଫଳରେ ମଧ୍ୟପ୍ରଦେଶ ରାଜନୀତି ଅଧିକ ଜଟିଳ ହୋଇପଡିଛି। କମଲନାଥ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଜି ସୁପ୍ରିମ୍‌ କୋର୍ଟ ୨୪ ଘଣ୍ଟିଆ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମଧ୍ୟପ୍ରଦେଶ ବାଚସ୍ପତି ଏନ୍‌.ପି. ପ୍ରଜାପତି ଗତକାଲି କରୋନା ଭାଇରସ ସଂକ୍ରମଣଜନିତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ ‌ହୋଇଥିଲେ। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତାକାଲି (ବୁଧବାର) ୧୦ଟା ୩୦ ସୁଦ୍ଧା ଉତ୍ତର ରଖିବାକୁ କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ଆଜି କଂଗ୍ରେସ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କଂଗ୍ରେସର ୧୬ ବିଧାୟକଙ୍କୁ ବିଜେପି ବଳପୂର୍ବକ ଅପହରଣ କରି ନିଜ ଅକ୍ତିଆରରେ ରଖିଛି। ଏଣୁ ତୁରନ୍ତ କଂଗ୍ରେସ ବିଧାୟକଙ୍କୁ ମୁକ୍ତି କରିବା ପାଇଁ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସୂଚନାଯୋଗ୍ୟ, ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ନେଇ ବିଜେପିର ପିଟିସନ୍‌ ଉପରେ ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟାରେ ସୁପ୍ରିମ୍‌କୋର୍ଟ ଶୁଣାଣି ହେବ। ଅନ୍ୟପକ୍ଷରେ ଆଜି କଂଗ୍ରେସ ବିଜେପି ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣା ମଧ୍ୟପ୍ରଦେଶ ରାଜନୀତିକୁ ଅଧିକ ଜଟିଳ କରିଛି। ବାଚସ୍ପତି ୨୨ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୬ ଜଣ ମନ୍ତ୍ରୀଙ୍କ ଇସ୍ତଫାକୁ ଗୃହୀତ କରିଥିଲେ। ବାକି ୧୬ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇନଥିବାରୁ ଅନିଶ୍ଚିତତା ବଢ଼ୁଛି।

ସମ୍ବନ୍ଧିତ ଖବର