ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ଏବେ ବି ଜାରି ରହିଥିବା ବେଳେ ଆସନ୍ତାକାଲି (ସୋମବାର) ବିଧାନସଭାରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଆଜି ୟେଦୁରପ୍ପା କହିଛନ୍ତି ବିଧାନସଭାରେ ସେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିବେ ବୋଲି ଶତ ପ୍ରତିଶତ ଆଶ୍ବସ୍ତ ଅଛନ୍ତି ଏବଂ ଏଥିରେ ସାମାନ୍ୟତମ ପ୍ରତିବନ୍ଧକ ନାହିଁ। ପୂର୍ବ କଂଗ୍ରେସ-ଜେଡିଏସ୍‌ ସରକାର ଦ୍ବାରା ପ୍ରସ୍ତୁତ ଅର୍ଥ ବିଲ୍‌କୁ ସେ ଯଥାରୀତି ଗୃହରେ ଉପସ୍ଥାପନ କରିବେ ବୋଲି ମଧ୍ୟ କହିଛନ୍ତି। ଅର୍ଥ ବିଲ୍‌କୁ ତତ୍କାଳ ଗୃହୀତ କରାଇବା ଜରୁରୀ, ଅନ୍ୟଥା କର୍ମଚାରୀଙ୍କୁ ଦରମା ଦେବାପାଇଁ ମଧ୍ୟ ଟଙ୍କା ନେଇହେବ ନାହିଁ ବୋଲି ସେ କହିଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପରେ ପ୍ରଥମେ ଅର୍ଥ ବିଲ୍‌କୁ ଗୃହୀତ କରାଇବା ତାଙ୍କର ପ୍ରଥମ କାମ ବୋଲି ୟେଦୁରପ୍ପା କହିଛନ୍ତି। ବିଧାନସଭା ବାଚସ୍ପତିଙ୍କୁ ବାଦ ଦେଇ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏବେ କେବଳ ୨୦୭ ବିଧାୟକ ଅଛନ୍ତି ଏବଂ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୦୪।

Advertisment

ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗୁଁ ୟେଦୁରପ୍ପା ଫାଇଦାରେ
ବାଚସ୍ପତି କେ.ଆର.ରମେଶ କୁମାର ଆଜି କଂଗ୍ରେସ ଏବଂ ଜେଡିଏସ୍‌ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ୟେଦୁରପ୍ପାଙ୍କୁ ଯଥେଷ୍ଟ ଫାଇଦା ମିଳିବ ବୋଲି କୁହାଯାଉଛି। ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ନଥିଲେ ଯେଉଁ ଅନିଶ୍ଚିତତା ଲାଗି ରହିଥାନ୍ତା ତାହା ସରକାର ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଥାନ୍ତା। ଏବେ ନୂଆ ସରକାରରେ ବିଦ୍ରୋହୀ ବିଧାୟକଙ୍କ କୌଣସି ଭୂମିକା ରହିବ ନାହିଁ ଏବଂ ସେମାନେ କୌଣସି ଉପନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ୧୭ ବିଧାୟକ ଅଯୋଗ୍ୟ ଘୋଷଣା ହୋଇଥିବାରୁ ଏବେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାନେଇ ମଧ୍ୟ କୌଣସି ସମସ୍ୟା ରହିବ ନାହିଁ ଏବଂ ଆସନ୍ତାକାଲି ଅତି ସହଜରେ ୟେଦୁରପ୍ପା ଏହା ପ୍ରମାଣ କରିବେ। ଚଳିତ ବିଧାନସଭାର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ରହିଛି। ସେ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ବିଧାୟକମାନେ କୌଣସି ଉପନିର୍ବାଚନ ମଧ୍ୟ ଲଢ଼ିପାରିବେ ନାହିଁ। ସମ୍ବିଧାନର ଧାରା ୧୦୧, ୧୦୨, ୧୯୦, ୧୯୧ ଏବଂ ୩୬୧ର ବିଭିନ୍ନ ପ୍ରାବଧନ ଆଧାରରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ବିଦ୍ରୋହୀ ବିଧାୟକମାନେ ନୂଆ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇ ଉପ ନିର୍ବାଚନକୁ ଓହ୍ଲାଇ ସହଜରେ ବିଜୟ ହାସଲ କରିବା ସ୍ବପ୍ନ ଦେଖୁଥିଲେ ଏବଂ ଏହା ବାଚସ୍ପତିଙ୍କ ନିଷ୍ପତ୍ତି ଯୋଗୁଁ ଚୁର୍‌ମାର ହୋଇଯାଇଛି ।