୨୦୧୪ ଆଜି ତାରିଖରେ ଆସିଥିଲା ମୋଦି ସୁନାମୀ, ଧୋଇଯାଇଥିଲା ବିପକ୍ଷଙ୍କ ଗଡ଼

ନୂଆଦିଲ୍ଲୀ: ଆଜି ହେଉଛି ଏଭଳି ଏକ ଦିନ ଯାହାକି ଭାରତୀୟ ଜନତା ପାର୍ଟି ପାଇଁ ସବୁଦିନ ମନେରହିବ । କାରଣ ୨୦୧୪ ମସିହା ଆଜିର ଦିନରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ସରକାର ଗଠନ ହେବ ବୋଲି ସ୍ପଷ୍ଟ ହୋଇଥିଲା । ୨୦୧୪, ମେ ୧୬ରେ ପ୍ରକାଶ ପାଇଥିଲା ଲୋକସଭା ନିର୍ବାଚନର ଫଳାଫଳ। ଆଉ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସମସ୍ତ ରାଜନୈତିକ ଦଳଙ୍କ ସମୀକରଣ ଓ ବିରୋଧୀଙ୍କ ଗଡକୁ ଧ୍ୱସ୍ତ କରିବାରେ ସଫଳ ହୋଇଥିଲା । ୧୯୮୪ ମସିହାରେ ପ୍ରଥମେ ବହୁମତ ସରକାର ହୋଇଥିଲା। କିନ୍ତୁ ଅନ୍ୟ ଯେତେ ବି ସରକାର ହୋଇଥିଲା ସବୁ ମେଣ୍ଟ ଜାଲରେ କବଳିତ ଥିଲା।

Livemint

ନିର୍ବାଚନ ସମୟରେ ରାଜନୈତିକ ବିଶେଷଜ୍ଞମାନେ ଭାବିଥିଲେ ଯେ ବିଜେପି ବଡ ପାର୍ଟି ଭାବେ ନିର୍ବାଚନ ମୈଦାନରେ ଏଥର ଭୂମିକା ନେବ | କିନ୍ତୁ କେବେ ବି ଭାବି ପାରିନଥିଲେ ଯେ ବିଜେପି ନିଜ ଦମରେ ବହୁମତ ହାସଲ କରିନେବ । ଭାରତରେ ଷୋଡ଼ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଏପ୍ରିଲ ୭ରୁ ଆରମ୍ଭ ହୋଇ ମେ ୧୨ ଯାଏଁ ୯ଟି ପର୍ଯ୍ୟାୟରେ ଚାଲିଥିଲା ।୨୦୧୪ରେ ଲୋକସଭା ନିର୍ବାଚନ ଦେଶର ସବୁଠାରୁ ଲମ୍ବା ସମୟ ଧରି ଚାଲିଥିଲା। ୬୬.୩୮ ପ୍ରତିଶତ ଭୋଟିଂ ହୋଇଥିଲା। ଆଜିର ଦିନରେ ୨୮୨ଟି ସିଟ ପାଇ ସବୁଠାରୁ ବଡ ପାର୍ଟି ଭାବେ ଉଭା ହୋଇଥିଲା ବିଜେପି। ସେହିପରି ଏନଡିଏ ୩୩୬ଟି ଆସନ ପାଇଥିଲା।

୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୪୪ଟି ସିଟ ପାଇଥିଲା।  ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୫୯ଟି ସିଟ ପାଇଥିଲା । ବଡ କଥା ହେଉଛି କଂଗ୍ରେସର ସ୍ଥିତି ଏମିତି ହୋଇଯାଇଥିଲା ଯେ ଦେଶର ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ସମର୍ଥ ହୋଇପାରିନଥିଲା। କାରଣ ଦେଶର ବିରୋଧୀ ଦଳ ହେବା ପାଇଁ ଲୋକସଭାରେ ୧୦ ପ୍ରତିଶତ ଅର୍ଥାତ ୫୪ଟି ସିଟ ହାସଲ କରିବାକୁ ପଡେ ।

ସମ୍ବନ୍ଧିତ ଖବର