ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ ହେବ। ଏହା ଉପରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ସାମଗ୍ରୀମାନ ଅଣାଯାଇଥିବା ଜଣାପଡ଼ିଛି। ଏହାଦ୍ବାରା ଭାରତୀୟ ଗଣତନ୍ତ୍ରର ଏହି ମନ୍ଦିରରେ ସାରା ଦେଶର ପ୍ରତିଫଳନ ଘଟିଛି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ବାସ୍ତବ ଚିତ୍ର ଏଥିରେ ଦେଖିବାକୁ ମିଳିଛି।
ନୂତନ ସଂସଦ ଭବନ ନିର୍ମାଣ ପାଇଁ ମହାରାଷ୍ଟ୍ରର ନାଗପୁରରୁ ଆସିଛି ଶାଗୁଆନ କାଠ। ନାଲି ଓ ଧଳା ବାଲିପଥର ଆସିଛି ରାଜସ୍ଥାନର ସରମଥୁରାରୁ। ଗାଲିଚା ଆସିଛି ଉତ୍ତରପ୍ରଦେଶର ମିର୍ଜାପୁରରୁ। ବାମ୍ବୋ ଉଡ୍ ଫ୍ଲୋରିଂ ପାଇଁ ତ୍ରିପୁରାର ଅଗରତାଲାରୁ ଆସିଛି ବାଉଁଶ। ପଥର ଜାଲି କାମ ଆସିଛି ରାଜନଗର, ରାଜସ୍ଥାନ ଓ ଉତ୍ତରପ୍ରଦେଶର ନଏଡ଼ାରୁ। ଅଶୋକ ସ୍ତମ୍ଭ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ରାଜସ୍ଥାନର ଜୟପୁରରୁ ଆସିଥିବା ବେଳେ ଅଶୋକ ଚକ୍ର ଆସିଛି ମଧ୍ୟପ୍ରଦେଶର ଇନ୍ଦୋରରୁ। କେତେକ ଆସବାବପତ୍ର ମୁମ୍ବାଇରୁ ମଗାଯାଇଛି।
ଏଥିରେ ବ୍ୟବହୃତ ଲାଖା ଲାଲ୍ ଗ୍ରାନାଇଟ୍ ରାଜସ୍ଥାନର ଜୈସଲମରର ଲାଖାରୁ ଆସିଥିବା ବେଳେ କେଶରିଆ ସବୁଜ ପ୍ରସ୍ତର ଉଦୟପୁରରୁ ଓ ଅମ୍ବାଜୀ ଧଳା ମାର୍ବଲ ରାଜସ୍ଥାନର ଅମ୍ବାଜୀରୁ ଅଣାଯାଇଛି। କେତେକ ଖୋଦନ କାର୍ଯ୍ୟ ଉଦୟପୁରର ଆବୁ ରୋଡ୍ରୁ ଆସିଥିବା ବେଳେ ଅନ୍ୟାନ୍ୟ ପଥର ରାଜସ୍ଥାନର କୋଟପୁଟାଲିରୁ ଆସିଛି। ହରିୟାଣାର ଚକାରି ଦାଦ୍ରିରୁ ଏମ୍-ସ୍ୟାଣ୍ଡ ସଂଗ୍ରହ କରାଯାଇଥିବା ବେଳେ ଏନ୍ସିଆର୍ ହରିୟାଣା ଓ ଉତ୍ତରପ୍ରଦେଶରୁ ଫ୍ଲାଇ ଆଶ୍ ଇଟା ଅଣାଯାଇଛି। ଗୁଜରାଟର ଅହମଦାବାଦରୁ ପିତ୍ତଳକାମ ପ୍ରି-କାଷ୍ଟ ଟ୍ରେଞ୍ଚଗୁଡ଼ିକ ଅଣାଯାଇଥିବା ବେଳେ ଲୋକସଭା ଓ ରାଜ୍ୟସଭା ଉପରେ ଲଗାଯାଇଥିବା ଫଲ୍ସ ସିଲିଂ ଷ୍ଟିଲ ଷ୍ଟ୍ରକ୍ଚର କେନ୍ଦ୍ରଶାସିତ ଡାମନ ଓ ଡିଉରୁ ଅଣାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/30-17.jpg)