ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରା। ଦୀର୍ଘ ୪୬ ଦିନର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି। ଅମରନାଥ ଯାତ୍ରା ପାଇଁ ଆଜି ପ୍ରଥମ ବ୍ୟାଚ୍‌ରେ ୨,୨୩୪ ଜଣ ଜମ୍ମୁ ସେନା ଶିବିରରୁ ଯାତ୍ରା ଆରମ୍ଭ କରିଛନ୍ତି।୧୩୦ ମହିଳା, ୭ ବାଳକ ଏବଂ ୪୫ ସାଧୁଙ୍କ ସମେତ ସମୁଦାୟ ୧୨୨୮ ତୀର୍ଥଯାତ୍ରୀ ପାରମ୍ପରିକ ପହଲଗାମ୍‌ ରାସ୍ତାରେ ଯାତ୍ରା ଆରମ୍ଭ କରିଥିବା ବେଳେ ୨୦୩ ମହିଳା, ୧୦ ବାଳକଙ୍କ ସମେତ ୧୦୦୬ ଜଣ ବାଲତାଲ୍‌ ପାର୍ଶ୍ବରୁ ଯାତ୍ରା ଆରମ୍ଭ କରିଛନ୍ତି। ୧.୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଏଥର ଅମରନାଥ ଯାତ୍ରା ପାଇଁ ନାଁ ପଞ୍ଜୀକୃତ କରିଛନ୍ତି। କଶ୍ମୀରରେ ୨ଟି ସଡ଼କ ପଥରୁ ଯାତ୍ରା ଆରମ୍ଭ ହେବ।

ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲତାଲ୍‌ ଏବଂ ପହଲଗାମ୍‌ ରୁଟ୍‌ରେ ୬୦,୦୦୦ ସୈନିକ ମୁତୟନ ହୋଇଛନ୍ତି। ‌ସ୍ଥଳ ସେନା, ବିଏସଏଫ୍‌, ସିଆରପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିଜେ ଗୃହ ମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସୁରକ୍ଷା ପାଇଁ ବୈଷୟିକ ଜ୍ଞାନ କୌଶଳର ମଧ୍ୟ ବ୍ୟବହାର ହୋଇଛି। ତୀର୍ଥଯାତ୍ରୀଙ୍କ ଗାଡ଼ିରେ ଆରଏଫ୍‌ଆଇଡି (ରେଡିଓ ଫ୍ରିକ୍ବେନ୍ସି ଆଇ‌ଡେଣ୍ଟିଫିକେସନ୍‌) ଫିଟ୍‌ କରାଯାଇଛି। ସେହିପରି ପାଣିପାଗ ପରିବର୍ତ୍ତନ ଜନିତ କୌଣସି ସମସ୍ୟାର ମୁକାବିଲା ପାଇଁ ମଧ୍ୟ ଏଥର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତି ୩ ଘଣ୍ଟା‌ରେ ଥରେ ତୀର୍ଥଯାତ୍ରୀଙ୍କ ପାଖରେ ସେମାନଙ୍କ ଗନ୍ତବ୍ୟ ପଥ ଉପରେ ସୂଚନା ଦିଆଯିବ। ଏଥର ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସେନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସୁରକ୍ଷା ପାଇଁ ‌ଡ୍ରୋନ୍‌ କ୍ୟାମେରା ମଧ୍ୟ ବୁଲୁଛି।

ସମ୍ବନ୍ଧିତ ଖବର