ଆଜି ତେଲେଙ୍ଗାନା, ରାଜସ୍ଥାନରେ ଭୋଟ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ‌ରେ ପହଞ୍ଚିଛି। ରାଜସ୍ଥାନରେ ମୋଟ ୫୨,୦୦୦ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ପ୍ରତି ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବୁଥ୍‌ ତିଆରି କରାଯାଇଛି। ନିର୍ବାଚନ ପାଇଁ ୨ ଲକ୍ଷରୁ ଅଧିକ ଇଭିଏମ୍‌ ଓ ଭିଭିପିଏଟି ମେସିନ୍‌ ପ୍ରସ୍ତୁତ ରଖାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭିଭିପିଏଟି ମେସିନ୍‌ ବ୍ୟବହାର ହେବାକୁ ଯାଉଛି। ରାଜ୍ୟର ପ୍ରାୟ ୪.୭୬ କୋଟି ଭୋଟର୍‌ ପାଖାପାଖି ୨,୨୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ରାଜ୍ୟ ଡିଜିପି ଓ ପି ଗଲ୍‌ହୋତ୍ରାଙ୍କ କହିବାନୁସାରେ ମତଦାନ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସକାଶେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜସ୍ଥାନରେ ଗତ ୫ ବର୍ଷ ହେଲା ବିଜେପି ଶାସନ କରିଆସୁଥିବା ବେଳେ ଏଥର କଂଗ୍ରେସ ନିର୍ବାଚନ ଜିତିବା ପାଇଁ ଜୋରଦାର ପ୍ରୟାସ କରିଛି। ସେହିଭଳି ତେଲେଙ୍ଗାନାରେ ସମସ୍ତ ୩୧ ଜିଲ୍ଲାରେ ନିର୍ବାଚନ ପ୍ରତିନିଧିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ୨୯୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ୩୦,୦୦୦ ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ରାଜ୍ୟରେ ନିର୍ବାଚନ ଲଢ଼ୁଥିବା ପ୍ରାୟ ୧,୮୦୦ ପ୍ରାର୍ଥୀଙ୍କ ଭାଗ୍ୟ ୨.୮୦ କୋଟି ଭୋଟର୍‌ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଭୋଟିଂ ପରେ ଦୁଇ ରାଜ୍ୟ ଏବଂ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ମିଜୋରାମ୍‌ ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ।

ଗଣିତ ବିଗାଡ଼ିବ ବିଟିପି
ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଜନଜାତିଭିତ୍ତିକ ଦଳ ଭାରତୀୟ ଟ୍ରାଇବାଲ୍‌ ପାର୍ଟି (ବିଟିପି) ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି। ଏହି ନୂଆ ଦଳ ଡୁଙ୍ଗରପୁର ଜିଲ୍ଲାର ସମସ୍ତ ୪ଟି ସମେତ ରାଜ୍ୟରେ ମୋଟ ୧୧ଟି ଆସନରେ ନିର୍ବାଚନ ଲଢୁଛି। ୨୦୧୭ରେ ଛୋଟୁଭାଇ ବସାବାଙ୍କ ଦ୍ବାରା ଏହି ଦଳ ଗଠନ ହୋଇଛି। ଏହା ପୂର୍ବରୁ ଛୋଟୁଭାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ସହିତ କାର୍ଯ୍ୟ କରୁଥିଲେ। ବିଟିପି ଦଳର ପ୍ରଭାବ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ରହିଥିବା କୁହାଯାଉଛି। ତେବେ ବିଟିପି ଯୋଗୁ ରାଜସ୍ଥାନରେ ଏଥର ଗଣିତ ବିଗିଡ଼ିବ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରିଛନ୍ତି। ତେଣୁ ବିଜେପି ଓ କଂଗ୍ରେସ ପାଇଁ ବିଟିପି ଚିନ୍ତାର କାରଣ ସାଜିପାରେ।

ତେଲେଙ୍ଗାନାରେ ୩ କୋଟି ଜବତ
ହାଇଦ୍ରାବାଦ: ତେଲେଙ୍ଗାନାରେ ଶୁକ୍ରବାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବ‌େଳେ ଆଜି ୩ କୋଟି ଟଙ୍କା ଜବତ କରାଯାଇଛି। ନିର୍ବାଚନ କମିସନ୍‌ ଏବଂ ୱାରାଙ୍ଗଲ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ଉ ଦ୍ବାରା ଜଣେ ପ୍ରାର୍ଥୀଙ୍କ ଗାଡ଼ିରୁ ଏହି ଟଙ୍କା ଜବତ ହୋଇଛି। ନିର୍ବାଚନ ପୂର୍ବରୁ ଏହି ଟଙ୍କା ଭୋଟର୍‌ଙ୍କୁ ବଣ୍ଟାଯିବା ପାଇଁ ନିଆଯାଉଥିଲା ବୋଲି ଜଣାପଡ଼ିଛି।

ରାଜସ୍ଥାନରେ ବିଜେପିର ୨୨୩ ସଭା, ୧୫ ରୋଡ୍‌ସୋ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ପକ୍ଷରୁ ଗତ ୧୫ ଦିନ ମଧ୍ୟରେ ଷ୍ଟାର୍‌ ପ୍ରଚାରକମାନେ ୨୨୩ ସଭା ଏବଂ ୧୫ଟି ରୋଡ୍‌ସୋ’ କରିଛନ୍ତି। ପ୍ରଚାରର ଶେଷଦିନରେ ଷ୍ଟାର୍‌ ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ମୁଖ୍ୟ ଅମିତ୍‌ ଶାହ ଅଜ୍‌ମେରରେ ରୋଡ୍‌ସୋ’ କରିଥିଲେ। ରାଜ୍ୟରେ ୨୧ ନଭେମ୍ବରରୁ ପ୍ରଚାର ଆରମ୍ଭ ହୋଇଥିଲା ବେଳେ ବିଜେପିର ମୋଟ ୧୬ ଜଣ ଷ୍ଟାର ପ୍ରଚାରକ ରାଜ୍ୟରେ ପ୍ରଚାର ଅଭିଯାନ ଜୋର୍‌ଦାର କରିଥିଲେ।

ସମ୍ବନ୍ଧିତ ଖବର