ଆଜି ଓଡ଼ିଶାର ୩ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି: ବଂଶଧାରା ଜଳ ବିବାଦ, ଖଣିଜ ସାମଗ୍ରୀ ଉଠାଣ ଓ ପ୍ରଦୀପ ପାଣିଗ୍ରାହୀ ମାମଲା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ସଂପର୍କିତ ତିନି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବ। ଏହା ମଧ୍ୟରେ ରହିଛି ବଂଶଧାରା ଜଳ ବିବାଦ, ଖନନ ପରେ ପଡ଼ିରହିଥିବା ‌ଖଣିଜ ସାମଗ୍ରୀ ଉଠାଣ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା। ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ରାୟକୁ ବିରୋଧ କରି ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ତିନିଟି ସ୍ବତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ଶୁଣାଣି ଆଜି ଆରମ୍ଭ ହେବ। ବିଚରାପତି ଜଷ୍ଟିସ୍‌ ଏଏମ ଖାନୱିଲକର, ବିଚାରପତି ଜଷ୍ଟିସ ଅଭୟ ଏସ୍‌ ଓକା ଓ ବିଚାରପତି ଜଷ୍ଟିସ୍‌ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଗତ ମାସ ୯ରେ ବଂଶଧାରା ଜଳବିବାଦ ମାମଲାରେ ରାଜ୍ୟ ସରକାର ଅତିରିକ୍ତ ଦସ୍ତାବିଜ୍‌ ଦାଖଲ କରିବା ପାଇଁ ଅନୁମତି ମାଗିଥିଲେ। ଦସ୍ତାବିଜ ପ୍ରଦାନରେ ବିଳମ୍ବର କାରଣ ଦର୍ଶାଇ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ଆନ୍ଧ୍ରପ୍ରଦେଶକୁ ଓଡ଼ିଶାର ଆବେଦନ ଉପରେ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆଜି ଓଡ଼ିଶା ପକ୍ଷରୁ ପ୍ରଥମେ ଯୁକ୍ତି ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ବଂଶଧାର ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ବିଚାର କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଥିବାବେଳେ ରାୟର କ୍ରିୟାନ୍ବୟନ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ନିର୍ଭର କରିବ।

ସେହିଭଳି ଖନନ ପରେ ପଡ଼ିରହିଥିବା ‌ଖଣିଜ ସାମଗ୍ରୀର ଉଠାଣ ଓ ଆବଶ୍ୟକ ମଂଜୁରୀ ପାଇବା ପରେ ଖଣି ଖନନ ଅନୁମତି ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ବିଚାରପତି ଜଷ୍ଟିସ କେ ମୁରାରୀ ଓ ବିଚାରପତି ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠରେ ହେବ। ଚଳିତ ମାସ ୧୨ ତାରିଖରେ ଖଣି ଖନନ ମାମଲାରେ ମାଇନିଂ କଂପାନିଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ଏକାଧିକ ପିଟିସନ୍‌ ଉପରେ ଓଡ଼ିଶା ସରକାରଙ୍କ ଓକିଲମାନଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଓଡ଼ିଶା ଆଡଭୋକ‌େଟ୍‌ ଜେନେରାଲ (ଏଜି) କୋର୍ଟରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ଖଣ୍ଡପୀଠ କହିଥିଲେ। ଆଜି ଆଡଭୋକେଟ ଜେନେରାଲ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ସମ୍ଭାବନା ରହିଛି।

ଆଜି ମଧ୍ୟ ଗୋପାଳପୁର ବିଧାୟକ ପ୍ରଦୀପ ପାଣଗ୍ରାହୀଙ୍କ ବିରୋଧରେ ରାଜ୍ୟ ଲୋକାୟୁକ୍ତଙ୍କ ଦ୍ବାରା ଦୁର୍ନୀତି ମାମଲାର ତଦନ୍ତ ସଂକ୍ରାନ୍ତ ମାମଲାର ଶୁଣାଣି ହେବ। ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀ ଓ ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଚଳିତ ମାସ ୬ରେ ଲୋକାୟୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ଶ୍ରୀବାସ୍ତବ କରୋନାରେ ଆକ୍ରାନ୍ତ ଥିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତିକୁ ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରଯିବା ପରେ ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର