ନୂଆଦିଲ୍ଲୀ ମୁସ୍ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍ ) ବିଲ୍ର ଭାଗ୍ୟ ଆସନ୍ତାକାଲି ନିର୍ଦ୍ଧାରଣ ହେବ। ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ଏହାକୁ କୌଣସି ପରିସ୍ଥିତିରେ ଗୃହୀତ କରାଇ ନଦେବାକୁ ବିରୋଧୀ ଦଳମାନେ ଏକ୍ଜୁଟ ହୋଇଥିବାରୁ ସରକାରଙ୍କ ସମସ୍ୟା ବଢ଼ିଯାଇଛି। ଆସନ୍ତାକାଲି ରାଜ୍ୟ ସଭାରେ ବିଲ୍ ଆଗତ ହେବାକୁ ଥିବାରୁ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସାଂସଦମାନଙ୍କୁ ହ୍ବିପ୍ ଜାରି କରାଯାଇଛି। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଏବଂ ବାମ ମେଣ୍ଟର ମତ ଏହି ମାମଲାରେ ସମାନ ରହିଛି ଏବଂ ଏଆଇଏଡିଏମ୍କେ ମଧ୍ୟ ବିଲ୍କୁ ବିରୋଧ କରୁଛି। ଏଭଳି ସ୍ଥିତିରେ ସରକାରଙ୍କ କୌଣସି ଉଦ୍ୟମ କାମ ଦେବନାହିଁ ବୋଲି କଂଗ୍ରେସ କହିଛି। ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ବିଲ୍କୁ ଯୁଗ୍ମ ଚୟନ କମିଟିକୁ ପଠାଇବା ଦାବିରେ ଅଟଳ ଥିବା ବେଳେ ସରକାର ଏହି ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନାହାନ୍ତି। ୨୪୫ ସଦସ୍ୟବିଶିଷ୍ଟ ଗୃହରେ ୧୨୩ ସଦସ୍ୟଙ୍କ ସମର୍ଥନ ହାସଲ କରିବା ଏନ୍ଡିଏ ପାଇଁ ଏତେ ସହଜ ହେବାନହିଁ। ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କ ବିଜୟ ହୋଇଥିବାରୁ ସରକାର ବିଲ୍ ଗୃହୀତ ହେବା ନେଇ ଆଶା ବାନ୍ଧିଛନ୍ତି। ଆସନ୍ତାକାଲି ବିଜେଡିର ଆଭିମୁଖ୍ୟ ବିଲ୍ ବିରୋଧରେ କଠୋର ରହିବ ଏବଂ ଲୋକସଭାର ରଣନୀତି ରାଜ୍ୟସଭାରେ ଦଳ ଦୋହରାଇପାରେ ବୋଲି କୁହାଯାଉଛି। ରାଜ୍ୟସଭାରେ ଏବେ ୟୁପିଏର ୧୧୨ ସଦସ୍ୟ ଥିବା ବେଳେ ଏନ୍ଡିଏର ସଦସ୍ୟ ସଂଖ୍ୟା ହେଉଛି ୯୩। ଗୋଟିଏ ଆସନ ଖାଲି ପଡ଼ିଛି ଏବଂ ଅନ୍ୟ ଦଳମାନଙ୍କର ୩୯ ସଦସ୍ୟ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଡିସେମ୍ବର ୨୦୧୭ରେ ତିନି ତଲାକ୍ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା। ତିନି ତଲାକ୍ ବିଲ୍ରେ ଆବଶ୍ୟକ ସଂଶୋଧନ ସହ ତାହା ପୁଣି ଉପସ୍ଥାପନ ହୋଇଥିବା ବେଳେ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇନାହିଁ ଏବଂ ଯୁଗ୍ମ ଚୟନ କମିଟିକୁ ବିଲ୍ ପଠାଇବା ଦାବିରେ ଅଟଳ ରହିଛି। ମୋଦୀଙ୍କ କ୍ୟାବିନେଟ୍ ତିନି ତଲାକ୍ ବିଲ୍ରେ ୯ ଅଗଷ୍ଟରେ ୩ଟି ସଂଶୋଧନ ଆଣିଥିଲେ, ଯେଉଁଥିରେ ଜାମିନ ଦେବାର ଅଧିକାର ବିଚାରପତିଙ୍କ ପାଖରେ ରହିବ ଏବଂ କୋର୍ଟଙ୍କ ଅନୁମତିକ୍ରମେ ବୁଝାମଣା ପାଇଁ ମଧ୍ୟ ବ୍ୟବସ୍ଥା ହୋଇପାରିବ। ମୂଳ ତିନି ତଲାକ୍ ବିଲ୍ରେ ବ୍ୟବସ୍ଥା ଥିଲା ଯେ ଏହି ମାମଲାରେ ଯେ କେହି ବି ମକଦ୍ଦମା ରୁଜୁ କରିପାରିବ। ପୁଲିସ ନିଜ ଆଡୁ ମଧ୍ୟ ମାମଲା ରୁଜୁ କରିପାରିବ ବୋଲି ବ୍ୟବସ୍ଥା ଥିଲା। କିନ୍ତୁ ନୂଆ ସଂଶୋଧନରେ କେବଳ ପୀଡ଼ିତା ଏବଂ ନିକଟ ସମ୍ପର୍କୀୟମାନେ ହିଁ ମାମଲା ରୁଜୁ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ପୂର୍ବରୁ ତିନି ତଲାକ୍କୁ ଜାମିନବିହୀନ ଅପରାଧ ଶ୍ରେଣୀରେ ରଖାଯାଇଥିଲା ଏବଂ ପୁଲିସ ବିନା ୱାରେଣ୍ଟରେ ଗିରଫ କରିପାରିବା ବ୍ୟବସ୍ଥା ଥିଲା। କିନ୍ତୁ ଏବେ ନୂଆ ସଂଶୋଧନରେ ବିଚାରପତିମାନଙ୍କୁ ଜାମିନ ପ୍ରଦାନ କରିବା କ୍ଷମତା ଦିଆଯାଇଛି।