ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତୀକ୍ଷା ଓ ଅନେକ ବିବାଦ ପରେ ସୋମବାର ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ମା’ ଓ ପତ୍ନୀ ସାକ୍ଷାତ କରିବେ। ଇସଲାମାବାଦରେ ସେମାନଙ୍କ ସାକ୍ଷାତକାର ସମୟରେ ଭାରତୀୟ ହାଇକମିସନ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ କୂଟନୀତିଜ୍ଞ ମଧ୍ୟ ଉପସ୍ଥିତ ରହିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଭାରତୀୟ ଅଧିକାରୀଙ୍କ ନାମ ଗୋପନ ରଖାଯାଇଛି। ସୋମବାର ସାକ୍ଷାତକାରର ଅଳ୍ପ ସମୟ ପୂର୍ବରୁ ହିଁ କୁଳଭୂଷଣଙ୍କ ମା’ ଓ ପତ୍ନୀ ସେଠାରେ ପହଞ୍ଚିବେ ଏବଂ ସାକ୍ଷାତ ପରେ ତତ୍କ୍ଷଣାତ୍ ସେଠାରୁ ଫେରିଆସିବେ ବୋଲି ଜଣାପଡ଼ିଛି।
ଗଣମାଧ୍ୟମକୁ ସୂଚନା ଦେଇ ପାକ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ, ମାନବିକତା ଓ ଇସ୍ଲାମିକ ପରମ୍ପରା ଆଧାରରେ କୁଳଭୂଷଣଙ୍କୁ ତାଙ୍କ ପରିବାର ସହ ଭେଟ କରିବାକୁ ଅନୁମତି ଦିଆଯାଇଛି। ଏହି ସାକ୍ଷାତକାର ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପରିସରରେ ଆୟୋଜନ କରାଯାଇଥିବା ଫୈଜଲ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ସେମାନେ ଗଣମାଧ୍ୟମ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାକୁ ଚାହିଲେ ପାକିସ୍ତାନ ସରକାର କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ ବୋଲି ଫୈଜଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ପାକିସ୍ତାନ ସରକାର କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚ ୩ ରେ ଗିରଫ କରିଥିଲେ। ପାକିସ୍ତାନରେ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରି ସେଠାକାର ସରକାର କୁଳଭୂଷଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନ ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଭାରତର ହସ୍ତକ୍ଷେପ ପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ଆଇସିଜେ) ଗତ ମେ ୧୮ ତାରିଖରେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ୍ ଲଗାଇଥିଲେ। ତେବେ ଗତ ବୁଧବାର ହିଁ କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଯିବା ପାଇଁ ଭିସା ମିଳିଛି।
ଆଜି କୁଳଭୂଷଣଙ୍କୁ ଭେଟିବେ ମା’ ଓ ପତ୍ନୀ:ସାଙ୍ଗରେ ରହିବେ ଭାରତୀୟ କୂଟନୀତିଜ୍ଞ
/sambad/media/post_attachments/wp-content/uploads/2017/12/KULBHUSHAN-JADHAV-REU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)