ଆଜି ପୌର ନିର୍ବାଚନ, ବିଜେପି ଟାର୍ଗେଟରେ ହାଇଦ୍ରାବାଦ

ହାଇଦ୍ରାବାଦ: ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେଉଛି ବହୁଚର୍ଚିତ ବୃହତ୍ ହାଇଦ୍ରାବାଦ ପୌର ନିଗମ ନିର୍ବାଚନ। ଦେଶର କୌଣସି ରାଜ୍ୟରେ ପୌର ନିର୍ବ‌ାଚନ ଜାତୀୟ ରାଜନୀତିରେ ଏଭଳି ଚର୍ଚାର କେନ୍ଦ୍ରରେ ରହିବା ହେଉଛି ପ୍ରଥମ ଘଟଣା। ଏହି ନିର୍ବାଚନର ଗୁରୁତ୍ବ ବଢ଼ିବା ପଛରେ ବିଜେପିର ଭୂମିକା ରହିଛି। ହାଇଦ୍ରାବାଦରେ ଟିଆରଏସ୍ ଏବଂ ଅୱେସିଙ୍କ ପାର୍ଟି ମଜଲିସ ଇତେହାଦୁଲ ମୁସଲେମିନର ଦବଦବା ରହିଛି। ସେମାନଙ୍କ ହାତରୁ ନିଗମକୁ ମୁକ୍ତ କରିବା ଲାଗି ବିଜେପି ଅଣ୍ଟା ଭିଡ଼ିଛି। ତେଣୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବିଜେପି ଏହାର ସବୁ ଶକ୍ତି ଖଟାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନେକ ବରିଷ୍ଠ ନେତା ହାଇଦ୍ରାବାଦ ଆସି ନିର୍ବାଚନ ପ୍ରଚାର କରିଛନ୍ତି। ନିକଟରେ ତେଲେଙ୍ଗାନାର ଡୁବାକ୍ ବିଧାନସଭା ଆସନ ଉପନିର୍ବାଚନରେ ବିଜୟୀ ହେବାପରେ ବିଜେପି ଉତ୍ସାହିତ ହୋଇ ହାଇଦ୍ରାବାଦ ଦଖଲ ଅଭିଯାନକୁ ଜୋରଦାର କରିଛି।

କେତେକ ରାଜନୈତିକ ବିଶେଷଜ୍ଞଙ୍କ ମତରେ ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ୍ ବିରୋଧରେ ଜନଅସନ୍ତୋଷ ରହିଛି। ରାଜ୍ୟରେ ଅନ୍ୟ ବିକଳ୍ପ ଦଳ ନଥିବାରୁ ଏହାର ଫାଇଦା ନେବାକୁ ବିଜେପି ଉଦ୍ୟମ କରିବା ସ୍ବାଭାବିକ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ଅନେକ ବିଧାୟକ ଟିଆରଏସ୍‌ରେ ଯୋଗଦେବାପରେ ଏହି ଦଳ ଉପରୁ ଲୋକମାନଙ୍କର ଭରସା ଛାଡ଼ିଯାଇଛି। ଆସନ୍ତା ବିଧାନସଭା ନିର୍ବାଚନକୁ ଟାର୍ଗେଟ୍ କରି ବିଜେପି ଏହାର ଅଭିଯାନ ହାଇଦ୍ରାବାଦ ପୌର ନିର୍ବାଚନରୁ ଆରମ୍ଭ କରିବାକୁ ଯୋଜନା କରିଛି। ଏଥିଲାଗି ପାର୍ଟି ପକ୍ଷରୁ ସବୁ ପ୍ରକାର କୌଶଳ ପ୍ରୟୋଗ କରାଯାଇଛି। ଉକ୍ତ ପୌର ନିର୍ବାଚନରେ ପ୍ରଥମ ଥର ଲାଗି ବିକାଶ ଆଉ ପ୍ରସଙ୍ଗ ହୋଇ ରହିନାହିଁ। ହିନ୍ଦୁ-ମୁସଲମାନ ପ୍ରସଙ୍ଗ କରି ଭୋଟ୍ ବିଭାଜନ କରିବାକୁ ଉଦ୍ୟମ ଚଳାଇଛି ବିଜେପି। ଏହାର ଅନେକ ନେତା ଏହାକୁ ପ୍ରସଙ୍ଗ କରି ପ୍ରଚାରକୁ ବିଷାକ୍ତ କରିଦେଇଛନ୍ତି। ସେମାନେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାର ମୁକାବିଲା ଲାଗି ଟିଆରଏସ୍ ସୁପ୍ରିମୋ ତଥ‌ା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପ୍ରଥମ ଥର ପ୍ରଚାର ମଇଦାନରେ ଓହ୍ଲାଇଥିଲେ। ସୂଚନାଯୋଗ୍ୟ ଯେ ୧୫୦ ସଭ୍ୟ ବିଶିଷ୍ଟ ହାଇଦ୍ରାବାଦ ନିଗମରେ ଟିଆରଏସର ୯୯ ସଭ୍ୟ ଥିବା ବେଳେ ଅୱେସିଙ୍କ ପାର୍ଟିର ୪୩ ଏବଂ ବିଜେପିର ୪ ଜଣ ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର