ମୁହଁ ଖୋଲିଲେ ତୋଗାଡ଼ିଆ: ମୋତେ ଏନ୍‌କାଉଣ୍ଟର କରିଥାନ୍ତେ!

-ଜାଣିଶୁଣି ନିଖୋଜ ହୋଇଥିବା ସଫେଇ ଦେଲେ, ଜୟପୁର କୋର୍ଟରେ ଆତ୍ମସମର୍ପଣ ପାଇଁ ଯାଉଥିଲେ

0

ଅହମ୍ମଦାବାଦ: ଜୟପୁର, : ଗତକାଲି(ସୋମବାର) ସକାଳୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇ ସନ୍ଧ୍ୟାରେ ସ୍ଥାନୀୟ ଏକ ଡାକ୍ତରଖାନାରେ ଠାବ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଆନ୍ତର୍ଜାତିକ ସଭାପତି ପ୍ରବୀଣ ତୋଗାଡ଼ିଆ ଆଜି ତାଙ୍କ ନିଖୋଜ ହେବାର ଚାଞ୍ଚଲ୍ୟକର କାରଣ କହିଛନ୍ତି। ଏକ ଦଶବର୍ଷ ତଳର ପୁରୁଣା ମାମଲାରେ ତାଙ୍କୁ ଗିରଫ କରିବା ଲାଗି ରାଜସ୍ଥାନ ପୁଲିସ ଅଧିକାରୀ ଆସୁଥିବା ଏବଂ ତାଙ୍କୁ ଏନ୍‌କାଉଣ୍ଟରରେ ମାରିବାର ଯୋଜନା ହୋଇଥିବା ଖବର ପାଇ ସେ ଭିଏଚ୍‌ପି କାର୍ଯ୍ୟାଳୟରୁ ଫେରାର ହୋଇଯାଇଥିଲେ ବୋଲି ସଫେଇ ଦେଇଛନ୍ତି। ତେବେ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଥିବା ତୋଗାଡ଼ିଆ ଏନ୍‌କାଉଣ୍ଟରକୁ ଡରି ନିଜେ ଏପରି ଜାଣିଶୁଣି ନିଖୋଜ ହେବା ଏବଂ ଅଚେତ ଅବସ୍ଥାରେ ସୋମବାର ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଆପେ ଆପେ ରହସ୍ୟମୟ ହୋଇପଡ଼ିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ତୋଗାଡ଼ିଆ ଆଜି କହିଛନ୍ତି ଯେ ତାଙ୍କୁ ଏନ୍‌କାଉଣ୍ଟର କରିବାର ଯୋଜନା ହୋଇଥିଲା। ରାମ ମନ୍ଦିର, ଗୋ ହତ୍ୟା ସମ୍ପର୍କିତ ଆଇନ ଏବଂ କୃଷକମାନଙ୍କ ପାଇଁ ଜନମଙ୍ଗଳ ଯୋଜନା ପ୍ରସଙ୍ଗରେ ସେ ଅନବରତ ସ୍ୱର ଉତ୍ତୋଳନ କରୁଥିବାରୁ ତାଙ୍କୁ ନିରବ କରିବାକୁ ଉଦ୍ୟମ ହେଉଛି ବୋଲି ସେ ଅଭିଯୋଗ ଆଣିିଛନ୍ତି। ତେବେ କିଏ ତାଙ୍କୁ ଆକ୍ରମଣ କରିବାର ଯୋଜନା କରିଛି ପ୍ରଶ୍ନରେ ସେ ମୁହଁ ଖୋଲିନାହାନ୍ତି। ଅପରପକ୍ଷେ, ଆବଶ୍ୟକ ପଡ଼ିଲେ ପ୍ରମାଣ ସହ ସେ ଖୋଲାଖୋଲି ଭାବେ ନାମ ପ୍ରକାଶ କରିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଏକ ପୁରୁଣା ମାମଲାରେ ତୋଗାଡ଼ିଆଙ୍କୁ ଗିରଫ କରିବା ଲାଗି ରାଜସ୍ଥାନ ପୁଲିସ ସୋମବାର ଅହମ୍ମଦାବାଦ ଆସିଥିଲା। ସ୍ଥାନୀୟ ପୁଲିସ ସହାୟତାରେ ତୋଗାଡ଼ିଆଙ୍କ ଘରକୁ ଯାଇ ସେ ନଥିବା ଜାଣି ପୁଲିସ ଖାଲିହାତରେ ଫେରିଥିଲା। ତେବେ ତୋଗାଡ଼ିଆ ସକାଳ ୧୦ଟାରେ ସ୍ଥାନୀୟ ପାଲ୍‌ଦି ଅଞ୍ଚଳର ଭିଏଚ୍‌ପି ମୁଖ୍ୟ କାର୍ଯ୍ୟାଳୟରୁ ଏକ ଅଟୋରେ ଯାଉଥିବା କିଛି କେତେକ ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା କହିଥିଲେ। ଅପରପକ୍ଷେ, ଦୀର୍ଘ ୧୦ ଘଣ୍ଟାର ନିଖୋଜ ପରେ ତୋଗାଡ଼ିଆଙ୍କୁ ସନ୍ଧ୍ୟାରେ ଏକ ହସ୍ପିଟାଲ୍‌ରେ ଠାବ କରାଯାଇଥିଲା। ତାଙ୍କ ଶରୀରରେ ଶର୍କରା ସ୍ତର କମିଯିବାରୁ ସେ ଅଚେତ ହୋଇଯାଇଥିଲେ। ଅହମ୍ମଦାବାଦ୍‌ର ସାହିବାଗ୍‌ ଅଞ୍ଚଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଚନ୍ଦ୍ରମଣି ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ବୋଲି ଚିକିତ୍ସକମାନେ କହିଥିବା ବେଳେ ହସ୍ପିଟାଲ୍‌ରୁ ଡିସଚାର୍ଜ ହେବାପରେ ତୋଗାଡ଼ିଆ ରାଜସ୍ଥାନ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି କହିଛନ୍ତି।
ତୋଗାଡ଼ିଆଙ୍କ କହିବା ଅନୁଯାୟୀ, ଗତକାଲି ସକାଳେ ସେ ପୂଜା କରୁଥିଲେ। ସେହି ସମୟରେ ବିପୁଳ ସଂଖ୍ୟାରେ ରାଜସ୍ଥାନ ଏବଂ ଗୁଜରାଟ ପୁଲିସ ତାଙ୍କୁ ଏନକାଉଣ୍ଟର କରିବା ଲାଗି ଆସୁଥିବା ଖବର ପାଇଥିଲେ। ଏ ସଂକ୍ରାନ୍ତରେ ସେ ତାଙ୍କ ସୁରକ୍ଷାକର୍ମୀଙ୍କୁ ଜଣାଇବା ପରେ ଅନ୍ୟଜଣେ ଭିଏଚ୍‌ପି କର୍ମୀଙ୍କ ସହ ଅଟୋରିକ୍ସାରେ ସହରର ଥେଲତେଜ୍‌ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଗୃହମନ୍ତ୍ରୀ ଗୁଲାବଚାନ୍ଦ କାଟାରିଆଙ୍କୁ ଫୋନ୍‌ କରିଥିଲେ। ରାଜସ୍ଥାନ ପୁଲିସ ଏଠାକୁ ଆସୁଥିବା ଖବରକୁ ସେମାନେ ଅସ୍ୱୀକାର କରିଥିଲେ। ଏହାପରେ ତାଙ୍କ ସନ୍ଦେହ ଅଧିକ ହେବାରୁ ସେ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ସେ ତାଙ୍କ ବିରୋଧରେ ଥିବା ଗିରଫ ପରଓ୍ଵାନା ବାତିଲ କରିବା ପାଇଁ ରାଜସ୍ଥାନର କିଛି ଆଇନଜୀବୀଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ କୋର୍ଟଙ୍କ ଦ୍ୱାରା ଗିରଫ ପରଓ୍ଵାନା ଜାରି ହୋଇଥିବାରୁ ଏହାକୁ ଉଠାଇବା କଷ୍ଟ ବୋଲି ଆଇଜନୀବୀମାନେ କହିବା ପରେ ସେ ଜୟପୁରରେ ଅଦାଲତରେ ହାଜର ହେବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ଜୟପୁର ଯିବାପାଇଁ ସେ ଅଟୋରିକ୍ସାରେ ବିମାନ ବନ୍ଦର ଯାଉଥିବାବେଳେ ବାଟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲ୍‌ ନେବାପାଇଁ ସେ ଅଟୋ ଡ୍ରାଇଭରଙ୍କୁ କହିବା ପରେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ପରେ ନିଜକୁ ହସ୍ପିଟାଲ୍‌ରେ ଆବିଷ୍କାର କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.