ଗୁରୁଦ୍ବାର କୋଠାରେ ଶୌଚାଳୟ ନିର୍ମାଣ ମାମଲା: ସଂଖ୍ୟାଲଘୁ କମିସନଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ଗୁରୁଦ୍ବାର କୋଠାରେ ଶୌଚାଳୟ ନିର୍ମାଣ ମାମଲାରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ସଂଖ୍ୟାଲଘୁ କମିସନ। ବୁଦ୍ଧା ଦଲର ନିହଙ୍ଗ ଜବାର ଜଙ୍ଗ ସିଂହଙ୍କ ଅଭିଯୋଗ ତଥା ୟୁଟ୍ୟୁବ ଭିଡିଓ ଆଧାରରେ କମିସନ ମୁଖ୍ୟ ଶାସନ ସଚିବଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ଗୁରୁ ନାନକ ଦେବ ପୁରୀ ଗସ୍ତ ସ୍ମୃତିରେ ଏକ ସ୍ମାରକ ସ୍ଥାପନ ପାଇଁ କୋଠାର ସଂରକ୍ଷିତ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଉଥିବା ଜବାର ଜଙ୍ଗ ସିଂହ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏହି ସ୍ଥାନକୁ ସମ୍ମାନ ଦେଉନାହାନ୍ତି ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ନିକଟକୁ କମିସନ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାରେ ଶିଖ ଜନସଂଖ୍ୟା କମ ରହିଛି। ସେମାନଙ୍କ ଧାର୍ମିକ ସ୍ଥଳଗୁଡ଼ିକୁ ଦୁରୁ‌ପଯୋଗ କରାଯାଉଥିବା ଏହି ବର୍ଗ ଅନୁଭବ କରୁଛନ୍ତି। ଏହି ଘଟଣା ଶିଖ୍‌ମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଅଭିଯୋଗ ସଂପର୍କିତ ଭିଡିଓକୁ ମଧ୍ୟ ସଂଲଗ୍ନ କରାଯାଇଛି। ଆଗାମୀ ୧୦ ଦିନ ମଧ୍ୟରେ (ଜୁନ୍‌ ୪ ସୁଦ୍ଧା) ମୁଖ୍ୟ ଶାସନ ସଚିବ ଘଟଣାର ତଦନ୍ତ କରି ବିସ୍ତୃତ ରିପୋର୍ଟ ପଠାଇବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ କମିସନଙ୍କ ବିଚାର ପାଇଁ ଏହା ଉପସ୍ଥାପନ କରାଯିବ ‌ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର