ସମାପ୍ତ ହେଲା ଟୋକିଓ ଅଲିମ୍ପିକ୍ସ, ପ୍ୟାରିସ-୨୦୨୪ ଅପେକ୍ଷାରେ ସାରା ବିଶ୍ୱ

ଭାରତ ପକ୍ଷରୁ ତ୍ରିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ଟୋକିଓ: ସମାପ୍ତ ହୋଇଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦ | ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଦେଶର ଖେଳାଳିଙ୍କ ଉପସ୍ଥିତିରେ ଆଜି ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଛି ଆଉ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏବେ ସାରା ବିଶ୍ୱ ଅପେକ୍ଷା କରିବାକୁ ପଡିବ | ଆଜିର ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ରେସଲର ବଜରଙ୍ଗ ପୁନିଆ ତ୍ରିରଙ୍ଗା ପତାକା ଧରି ଅନ୍ୟ ଦେଶର ପ୍ରତିନିଧିଙ୍କ ସହ ସାମିଲ ହୋଇଥିଲେ | ଟୋକିଓରେ ଅଲିମ୍ପିକ୍ସ ପତାକାକୁ ପ୍ୟାରିସର ମେୟର ଏନି ହିଡ଼ଲଗୋଙ୍କ ହାତରେ ଦିଆଯାଇଛି | କହିବାକୁ ଗଲେ ଟୋକିଓ ଅଲିମ୍ପିକ୍ସରେ ସମୁଦାୟ ୧୧ ହଜାର ୯୦ ଜଣ ଖେଳାଳି ସାମିଲ ହୋଇଥିଲେ |

Photo-Olympic Twitter

ଭିନ୍ନ ଭିନ୍ନ କ୍ରୀଡ଼ାରେ ୩୪୦ଟି ସ୍ବର୍ଣ୍ଣ, ୩୩୮ଟି ରୌପ୍ୟ ଓ ୪୦୨ଟି ବ୍ରୋଞ୍ଜ ପଦକ ଖେଳାଳିଙ୍କୁ ଦିଆଯାଇଛି | ଆଉ ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସ ସର୍ବଶ୍ରେଷ୍ଠ ସଫଳତା ଆଣିଦେଇଥିଲା | ଭାରତ ଏହି ଅଲିମ୍ପିକ୍ସରେ ୭ ଟି ପଦକ ସହ ୪୮ତମ ସ୍ଥାନ ହାସଲ କରିଛି, ଯାହା ଅଲିମ୍ପିକ ଇତିହାସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ ଥିଲା |

ଏହାପୂର୍ବରୁ, ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଲା ​​| ଭାରତରୁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଏବଂ ରେସଲର ରବି କୁମାର ଦହିଆ ରୌପ୍ୟ ଜିତିଛନ୍ତି | ସେହିପରି ସଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି |

ସମ୍ବନ୍ଧିତ ଖବର