କର୍ଣ୍ଣାଟକ ରାଜନୀତିରେ ଝଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଲେ ୟେଦୁୟେରପ୍ପା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ମନରେ ମୋ ପ୍ରତି ବହୁତ ସମ୍ମାନ ଓ ଭଲପାଇବା ରହିଛି | ଦଳର ୭୫ ବର୍ଷ ପାର କରିଥିବା କୌଣସି ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ସେମାନେ ମୋ କାମରେ ପ୍ରଭାବିତ ହୋଇ ମୋତେ ୭୯ ବର୍ଷ ବୟସ ହେବା ଯାଏଁ କାମ କରିବାର ସୁଯୋଗ ଦେଇଛନ୍ତି |”

ଅନ୍ୟପଟେ ତେବେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ ବି ତାଙ୍କ ମନରେ ଏବେ ବି ଦଳପ୍ରତି ଭଲ ପାଇବା ରହିଥିବା ଦେଖାଯାଇଛି। ସେ କହିଛନ୍ତି, ‘ମୋର ଇଚ୍ଛା ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବି ଓ ଦଳକୁ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାରେ ସାହାଯ୍ୟ କରିବି | ଜୁଲାଇ ୨୬ରେ ଆମ ସରକାରକୁ ୨ ବର୍ଷ ପୂରଣ ହେବାକୁ ଯାଉଛି | ଏହି ଅବସରରେ ଜେ.ପି ନଡ୍ଡା ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରିବି |

ଉଲ୍ଲେଖଯୋଗ୍ୟ,୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଏକ ନୂଆ ଟିମ୍ ସହାୟତରେ ୨୦୨୪ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଆସାମ ଓ ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର